(ମହାଭାରତ, ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ଯୁବକଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଦ୍ୱିପ୍ରହରରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଧୁମୁଛାଇ ଗାଁର ସନ୍ତୋଷ ନାଏକ ଘରେ ଥିଲେ । ଏହି ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ଆଣିଥିଲେ । ଗାଁ ମଝିରେ ଥିବା ବିଶ୍ରାମାଗାର ନିକଟରେ କୌଣସି କଥାକୁ ନେଇ ସନ୍ତୋଷ ଓ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପରେ ସେଠାରୁ ଫେରାର ହୋଇଯାଇଥିଲେ । ସନ୍ତୋଷଙ୍କ ଚିତ୍କାର ଶୁଣି ଗାଁ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପରେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତମାନେ ପଡୋଶୀ ଗାଁର ବୋଲି ପୋଲିସ ସନ୍ଦେହ କରୁଛି ।
previous post
next post
