ରାଜନୀତି

ପୌର ନିର୍ବାଚନ ବିଜୟ ପାଇଁ ବିଜୟ ହେବେ ସାହା!

ଭୁବନେଶ୍ୱର: ରବିବାର ଥିଲା ରାକ୍ଷୀ । ଏହି ପବିତ୍ର ଉତ୍ସବରେ ରାଜଧାନୀରେ ଘଟିଗଲା ଏକ ବିରଳ ଘଟଣା । ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନୟାପଲ୍ଲୀସ୍ଥିତ ବାସଭବନରେ ପହଞ୍ଚିଥିଲେ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ । ଏହି ଭେଟଘାଟ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା । ଏହି ଗୁପ୍ତ ଭେଟଘାଟ ଏବେ ସାରା ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ କାହିଁକି ଏ ଚର୍ଚ୍ଚା? ଦୁହେଁ ତ ଗୋଟିଏ ଦଳର । ପରସ୍ପରକୁ ଭେଟିବାରେ ଅସୁବିଧା କେଉଁଠି? କାହିଁ ଏତେ ହଡକମ୍ପ?

ଅବଶ୍ୟ ଉଭୟ ଗୋଟିଏ ଦଳର ସଦସ୍ୟ ଓ ବରିଷ୍ଠ । କିନ୍ତୁ ଉଭୟଙ୍କ ମଧ୍ୟରେ ଦୀର୍ଘ ୧୦ ବର୍ଷ ହେବ କୌଣସି ଭାବଗତ ବା ସୌଜନ୍ୟତାପୂର୍ଣ୍ଣ ସମ୍ପର୍କ ନ ଥିଲା । ନା ବିଜୟ ପ୍ରଧାନଙ୍କୁ ଭେଟିବାକୁ ଚାହିଁଛନ୍ତି ନାହିଁ ପ୍ରଧାନ । ବିଜୟଙ୍କର ଦଳରେ ବା ରାଜ୍ୟ ରାଜନୀତିରେ ସେମିତି କୌଣସି ପ୍ରଭାବ ନାହିଁ । ହେଲେ ୧୦ ବର୍ଷ ପରେ ନିଜେ କେନ୍ଦ୍ର ମନ୍ତ୍ରୀ ଭେଟିବାକୁ ଯାଇଛନ୍ତି ବିଜୟଙ୍କ ବାସଭବନକୁ । ଉଭୟଙ୍କ ମଧ୍ୟରେ କି ଆଲୋଚନା ହେଲା ତାହା ଏଯାବତ୍ ପଦାକୁ ଆସିନାହିଁ । ତେଣୁ ମୁକୁ ଭାଇ ବିଜୟଙ୍କୁ ଭେଟିବାକୁ କାହିଁ ଯାଇଥିଲେ ତାକୁ ନେଇ ନାନା କଳ୍ପନା ଜଳ୍ପନା । ତେବେ ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ । ଏପରି ସମୟରେ ରାଜ୍ୟର ଏହି ଦୁଇ ମହାରଥୀଙ୍କ ମିଳନ ପର୍ବ ରାଜନୈତିକ ମହଲରେ ଉଷ୍ଣତା ଭରି ଦେଇଛି । ହୁଏତ ବିଜୟଙ୍କୁ ମନେଇବାକୁ ମୁକୁ ଭାଇ ଯାଇ ତାଙ୍କ ଘରେ ହାଜର ହୋଇଥିବା କୁହାଯାଉଛି ।

ଭେଟଘାଟକୁ ନେଇ କୌଣସି ପ୍ରତିକ୍ରିୟା ଉଭୟ ନେତାଙ୍କ ପକ୍ଷରୁ ଆସି ନ ଥିବା ବେଳେ କିନ୍ତୁ ଏହା ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନର ପ୍ରସ୍ତୁତି ପର୍ବ ବୋଲି କୁହାଯାଉଛି । ସାଧାରଣ ନିର୍ବାଚନରେ ବିଜେପିର ମିଶନ ୧୨୦ ଫେଲ ମାରିଛି । ଦଳ ଆଉ ଯୁବା ଓ ନବାଗତଙ୍କୁ ଭରସା କରି ପାରୁ ନାହିଁ । ୨୧ ବର୍ଷର ସରକାରକୁ ଆକ୍ରମଣ କରିବା ପରି ଲଢୁଆ ଓ ଟାଣୁଆ ନେତା ସେମିତି କେହି ନାହାନ୍ତି । ତେଣୁ ଏହି ତୃଣମୂଳସ୍ତରର ନିର୍ବାଚନ ବୈତରଣୀ ପାର କରିବାକୁ ବିଜେପି ତାର ପୁରୁଖା, ଅଭିଜ୍ଞ ଦକ୍ଷ ନେତାଙ୍କ ସହଯୋଗ ଲୋଡୁଛି । ଟାଣୁଆ ନେତାଙ୍କ ଖୋଜା ଚାଲିଛି । ଆଉ ଟାଣୁଆ ନେତା ଭାବେ ଏକ ମାତ୍ର ବିଜୟ, ଯିଏ ସରକାରର ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିବାର କ୍ଷମତା ରଖିଛନ୍ତି । ୨୦୧୦ରେ ବିଜୟ ବିଜେପିରେ ସାମିଲ ହେବା ପରେ ବିଜେଡିକୁ ନାକରେ ପାଣି ପିଆଇ ଦେଇଥିଲେ ତାଙ୍କ ଘନଘନ ସାମ୍ବାଦିକ ସମ୍ମିଳନୀ କରି । ଲଗାତର ସରକାରର ଦୋଷ ଦୁର୍ବଳତାକୁ ପଦାରେ ପକାଇ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୃଷ୍ଟିକରିଥିଲେ ସମସ୍ୟା । ସେତେବେଳେ ବିଜୟଙ୍କ ପତିଆର ବୃଦ୍ଧିକୁ ନେଇ ଦଳର କିଛି ନେତାଙ୍କ ମଧ୍ୟରେ ପଡିଥିଲା ଭାଳେଣି । ପ୍ରଧାନଙ୍କୁ ଧରି ବିଜୟଙ୍କୁ ଦଳ କଣଠେଁସା ଦେଲା । ବିଜୟ ସେବେଠାରୁ ଆଉ ବିଜେପି କାର୍ଯ୍ୟାଳୟକୁ ଯାଆନ୍ତି ନାହିଁ । ଦଳ ତଥା ଦଳୀୟ ପ୍ରମୁଖମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ୨୦୧୮ରେ ଦଳରୁ ଇସ୍ତଫା ଦେଇଦେଲେ । କିନ୍ତୁ ସାଧାରଣ ନିର୍ବାଚନ ବେଳେ ପୁଣି କେନ୍ଦ୍ରାପଡା ପାଟକୁରା ବିଧାନସଭା ଆସନକୁ ଅକ୍ତିଆର କରିବାକୁ ଦଳ ବିଜୟଙ୍କୁ ଦଳକୁ ଆଣିଲା । ହେଲେ ନବୀନଙ୍କ ଜଲୱା ଆଗରେ ଚାଲିଲାନି ମୋଦି ହାୱା । ପୁଣି ନିରବିଗଲେ ବିଜୟ । ତେବେ ମଝିରେ ମଝିରେ ନିଜ ବାସଭବନରୁ ସରକାରକୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି । ତେଣୁ ପୁଣି ଥରେ ବିଜେପି ବିଜୟଙ୍କ ଆଶ୍ରୟ ନେଉଥିବା କୁହାଯାଉଛି । ତାଙ୍କୁ ମନେଇ ପୁଣି ସରକାର ଉପରେ ଚାପ ପକାଇବାକୁ ପ୍ରଧାନ ମନସ୍ଥ କରିଛନ୍ତି । ସେଥିପାଇଁ ହୁଏତ ଦିନେ ଯାହାଙ୍କୁ ପ୍ରଧାନ ଦଳରେ ଅଣଦେଖା କରିଥିଲେ ଆଜି ତାଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିଜର ନେତୃତ୍ୱ ସାବ୍ୟସ୍ତ କରିବାକୁ । ଏହା ହିଁ ରାଜନୀତି । ଏମିତି ରାଜନେତାଙ୍କ ନୀତି, ନୈତିକତା ।

Related posts

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

mahabharatanews

ବିଜେପିର ପ୍ରତିବାଦ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା

mahabharatanews

ସଂସଦରେ ଓଡିଆରେ ମହିଳା ସଂରକ୍ଷଣକୁ ନେଇ ଦାବି ଉଠାଇଲେ ସସ୍ମିତ

mahabharatanews