ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିଛି ବିଜେଡି । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେବି ବିଜେଡି ଦେଖାଇଲା ନିଜର କମାଲ । ଆଉ କେନ୍ଦୁଝର, କଟକ, ଅନୁଗୁଳ, ଯାଜପୁରରେ ହୋଇଥିବା ନିର୍ବାଚନରେ ଅନ୍ୟଦଳକୁ ମାତ ଦେଇ ପିନ୍ଧିଲା ବିଜୟର ମୁକୁଟ । କଟକ ସଦର ବ୍ଲକ ଜସପଡ଼ା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ମିନତି ସେଠୀ ୯୮୯ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ବିଜେଡ଼ିର ରଞ୍ଜିତ ନାଏକ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ୮ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଆସନରେ ୧୩ ହଜାର ୧୧୮ ଖଣ୍ଡ ଭୋଟ୍ ବ୍ୟବଧାନରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପିର ମହେଶ୍ବର ନାଏକଙ୍କୁ ପରାସ୍ତ କରିଛନ୍ତି । ଅନୁଗୁଳ ସାନକେରଜାଙ୍ଗ ନିର୍ବାଚନରେ ବିଜେଡି ସମର୍ଥିତ ଯଶ୍ମିତା ପ୍ରଧାନ ପ୍ରତିପକ୍ଷ ପ୍ରତିଦ୍ବନ୍ଦୀ ରୀନା ପ୍ରଧାନଙ୍କଠାରୁ 999 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି । ଏଥିସହ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳ ପଞ୍ଚାୟତରେ ହୋଇଥିବା ସାନି ସରପଞ୍ଚ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ନବଦୀପ ନାୟକ ମୋଟ 2080 ଖଣ୍ଡ ଭୋଟ ପାଇଥିବା ବେଳେ, ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ 1605 ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ।