ରାଜନୀତି

ଚର୍ଚ୍ଚାର ଅନ୍ୟନାମ ବବି

ଭୁବନେଶ୍ୱର/ରାଜେଶ ସାହୁ: ଗତ କିଛି ମାସ ହେବ ରାଜ୍ୟ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଲାଗିରହିଥିଲା । ଏବେ ଏହି ଚର୍ଚ୍ଚାକୁ ଜୋର ଦେଇଛି ବିଜେଡିର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣ ପାଇଁ ଶିଳାନ୍ୟାସ । ରଥଯାତ୍ରାର ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ନୂଆ କାର୍ଯ୍ୟାଳୟ ନିର୍ମାଣ ପାଇଁ ଶୁଭ ଦେଲେ । ଏହା ପରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ନବକଳେବର ସହ ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି ରାଜ୍ୟ ରାଜନୈତିକ ମହଲରେ । ପୂର୍ବରୁ ରାଜନୈତିକ ବିଶେଷଜ୍ଞଗଣ ଅନୁମାନ କରୁଥିଲେ ନବୀନଙ୍କୁ ନେଇ ସୃଷ୍ଟି ହୋଇଥିବା ଏହି ସଫଳ ଆଞ୍ଚଳିକ ଦଳଟି ତାଙ୍କ ଅନ୍ତେ ବିଲୀନ ହୋଇଯିବ । କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛି ନିର୍ମାଣ ପ୍ରତୀକ୍ଷାରେ ଥିବା ବିଜେଡି କାର୍ଯ୍ୟାଳୟ । ଅଥାତ୍ ନବୀନଙ୍କ ପରେ ମଧ୍ୟ ଦଳ ଜୀବିତ ଓ କ୍ରିୟାଶୀଳ ରହିବ ।

ତେବେ କିଏ ସେହି ପ୍ରଭାବଶାଳୀ ଓ କାର୍ଯ୍ୟଦକ୍ଷ ବ୍ୟକ୍ତି ଯାହାଙ୍କୁ ଦୃଷ୍ଟିରେ ରଖି ନବୀନ ଦଳ ପାଇଁ ବହୁତଳ ବିଶିଷ୍ଟ କାର୍ଯ୍ୟାଳୟ ପ୍ରସ୍ତୁତ କରୁଛନ୍ତି? କାହା ଭରସାରେ ସରକାରୀ ଜମିରୁ ଅଢେଇ ଏକର ଜାଗାକୁ ଅକ୍ତିଆର କରୁଛନ୍ତି ଦଳ ସୁପ୍ରିମୋ? ଏପରି ଅନେକ ପ୍ରଶ୍ନ ସାଧାରଣ ଜନତାଙ୍କ ମନକୁ ଉଦବେଳିତ କରୁଛି । କାରଣ ସାଧାରଣ ନିର୍ବାଚନ ପରେ ଦଳୀୟ ନେତା ମନ୍ତ୍ରୀ ପ୍ରତାପ ଜେନା, ଶିକ୍ଷା ଓ କୃଷି ମନ୍ତ୍ରୀ ଅରୁଣ ସାହୁ, ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ, ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରି ବହୁ ବରିଷ୍ଠଙ୍କ ନାମରେ ରହିଛି ଅଭିଯୋଗ । ଏହା ବାଦ ଦଳର ନବକଳେବର ଓ ଦଳ ପାଇଁ କୋଠା ନିର୍ମାଣ ନବୀନଙ୍କ ଏକ ଦୁଃସାହସିକ କାର୍ଯ୍ୟ ବୋଲି ସାଧାରଣରେ ଶୁଣିବାକୁ ଥିଲା ।

ନବୀନ ଜଣେ ଚତୁର ରାଜନେତା । ତାଙ୍କର ପ୍ରତିଟି ପଦକ୍ଷେପ ସୁଚିନ୍ତିତ ଓ ଦୂରଦୃଷ୍ଟି ସମ୍ପନ୍ନ । ଅର୍ଥାତ୍ ନବୀନଙ୍କୁ ମିଳିଯାଇଛି ତାଙ୍କ ଯୁବରାଜ । ଆଉ ରାଜନୀତିରେ ପୋଖତ ଜ୍ଞାନ ରଖିଥିବା ବ୍ୟକ୍ତି ବିଶେଷଙ୍କ ଅନୁଯାୟୀ ପୁତୁରା ଅରୁଣ ପଟ୍ଟନାୟକଙ୍କର ରାଜନୀତି ପ୍ରତି କୌଣସି ଆଗ୍ରହ ନ ଥିବାରୁ ସମସ୍ତ କ୍ଷେତ୍ର ପ୍ରସ୍ତୁତ ହେଉଛି ବିଜେଡିର ତ୍ରାଣକର୍ତ୍ତା ବୋଲାଉଥିବା ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବିଙ୍କ ପାଇଁ । ଆହୁରି ମଧ୍ୟ କୁହାଯାଉଛି, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣରେ ବବିଙ୍କୁ ମିଳିବାକୁ ଯାଉଛି ବିଜେଡି ଶାସନକାଳରେ ନଥିବା ଉପମୁଖ୍ୟମନ୍ତ୍ରୀ ପଦ । ବବିଙ୍କ ପାଇଁ ଏହି ପଦ ସୃଷ୍ଟି କରିଛନ୍ତି ନବୀନ । ଏହାକୁ ନେଇ ଏବେ କିଛି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ଖବର । କିଛି ହ୍ୱାସ୍ଆପ ଗ୍ରୁପରେ ମନ୍ତ୍ରୀ ମଣ୍ଡଳର ତାଲିକା ଭାଇରାଲ ହେଉଛି । ସେହି ତାଲିକାରେ ମଧ୍ୟ ବବିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚିତ୍ରିତ କରାଯାଇଛି ।

ତେବେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣର ରୂପରେଖ ଏଯାବତ୍ ପ୍ରକାଶ ପାଇ ନ ଥିବା ବେଳେ କିଏ ଓ କେଉଁଠୁ ଏହି ତାଲିକା ପାଇଛି ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଯାଇଛି । କାରଣ, ନବୀନଙ୍କ ପ୍ରତ୍ୟେକ କାର୍ଯ୍ୟ ସର୍ବଦା ଚମକପ୍ରଦ ହୋଇଥାଏ । ସବୁ କାର୍ଯ୍ୟ ବେଶ ଗୁପ୍ତ ପ୍ରଣାଳୀରେ ହୋଇଥାଏ । ନବୀନଙ୍କ ବ୍ୟକ୍ତିଗତ ସଚିବଙ୍କ ଭିନ୍ନ ନବୀନଙ୍କ ଅତି ବିଶ୍ୱସ୍ତ କୁହାଯାଉଥିବା ବବି ଓ ଅନ୍ୟ ଦୁଇ ତିନି ଜଣ ନବୀନଙ୍କ ପରବର୍ତ୍ତୀ କାର୍ଯ୍ୟ ସମ୍ପର୍କରେ ଜାଣିଥାନ୍ତି । କିନ୍ତୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ତାଲିକା ଭାଇରାଲ ହେବା ଏକ ବ୍ୟତିକ୍ରମ ନିଶ୍ଚିତ । ତେଣୁ କିଛି କହୁଛନ୍ତି, ଏହି ତାଲିକାର ସ୍ରଷ୍ଟା ବିଜେପି । ବିଜେପି ମିଡିଆ ସେଲ ପକ୍ଷରୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । କିଛି କହୁଛନ୍ତି, ବିଜେପି ସମର୍ଥିତ ଗଣମାଧ୍ୟମ ଏହାକୁ ଭାଇରାଲ କରୁଛନ୍ତି । ତେବେ ତାଲିକା ଯାହା ହେଉ ନା କାହିଁ ବବିଙ୍କୁ ଯେ ଉପମୁଖ୍ୟମନ୍ତ୍ରୀ ପଦ ମିଳୁଛି ଏହା ବହୁ ପୂର୍ବରୁ ନିର୍ଦ୍ଧାରିତ ।

ପୂର୍ବରୁ ଆମେ ମଧ୍ୟ କହିଥିଲୁ, ଚଳିତ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କାଳରେ ବବିଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମିଳିବ । ଦଳ ତଥା ଦଳ ସୁପ୍ରିମୋଙ୍କ ପ୍ରତି ବବିଙ୍କ ବିଶ୍ୱସନୀୟତାର ଫଳ ତାଙ୍କୁ ମିଳିବ । ତାଙ୍କ ବିଶ୍ୱସ୍ତତା, ସାଂଗଠନିକ ଦକ୍ଷତା, ନିରବଚ୍ଛିନ୍ନ କାର୍ଯ୍ୟଦକ୍ଷତା ଦଳୀୟ ଷଡଯନ୍ତ୍ରକାରୀଙ୍କ ସମସ୍ତ ମସୁଧାକୁ ପ୍ରତିହତ କରିଆସିଛି । ନବୀନଙ୍କ ପାଖରେ ସେ ଆଦ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱସ୍ତ ଓ ନିକଟତର ରହିଛନ୍ତି । ବର୍ତ୍ତମାନ ସେ ଉପମୁଖ୍ୟମନ୍ତ୍ରୀ ହେବା ସହ ଆଗାମୀ ଦିନରେ ଯେ ମୁଖ୍ୟମନ୍ତ୍ରୀ ନ ହେବେ ତାହାକୁ ଅସ୍ୱୀକାର କରାଯାଇ ନ ପାରେ ।

Related posts

କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ କଙ୍ଗନାଙ୍କ ମା’ ଆଶା

mahabharatanews

ଜନଗଣନା ମୋବାଇଲ ଆପରେ ହେବ

mahabharatanews

ମୋଦୀଙ୍କ ମନ୍ତ୍ରୀ ପରିଷଦ ବୈଠକ

mahabharatanews