ଆଉ ନାହିଁ ନବୀନଙ୍କ କ୍ରେଜ । ଦୁଇ ଦୁଇ ଥର ନୂଆପଡ଼ା ଉପନିର୍ବାଚନ ପ୍ରଚାର ପାଇଁ ଯାଇ ମଧ୍ୟ ନିଜ ପ୍ରାର୍ଥୀ କୁ ଜିତାଇ ପାରିଲେନି ନବୀନ । ସେପଟେ ମୋହନ ମାଝୀ ନିଜ ଦଳକୁ ଶିଖରେ ପହଂଚାଇଛନ୍ତି । ମୋହନ ସିଧାସିଧା ବିଜେଡ଼ି ଓ କଂଗ୍ରେସକୁ ରାଜନୈତିକ ଟାର୍ଗେଟ କରି ନିଜେ ନିଜ ଉପରେ ରିସ୍କ ନେବା ଭଳି ପରିସ୍ଥିତିକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ମୋହନଙ୍କ ପ୍ରତି ଥିବା ସମର୍ଥନ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା କେତେ ଠିକ ଭୁଲର ପ୍ରଶ୍ନ ଉଠାଇଥିବା ନେତୃତ୍ୱ ଓ ବିଶେଷଜ୍ଞଙ୍କୁ ନୂଆପଡ଼ା ନିର୍ବାଚନ ଫଳାଫଳ ଚୁପ କରିବା ପାଇଁ ଯଥେଷ୍ଟ । ଗତ ଦେଢ଼ ବର୍ଷର ମୋହନଙ୍କ ସରକାରର ସମାଲୋଚକଙ୍କୁ ସିଧା ସିଧା ପ୍ରତିଉତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ଆରମ୍ଭରୁ ନୂଆପଡ଼ା ବିଜୟର ଗୋଟିଚାଳନା କରି ତାଙ୍କ ରାଜନୈତିକ ପରିପକ୍ୱତାର ପ୍ରମାଣ ଦେଇଛନ୍ତି ।

ତେବେ ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି । ୨୯ ତମ ରାଉଣ୍ଡର ଭୋଟ୍ ଗଣତି ପରେ ନୂଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି । ସବୁଠାରୁ ବଡ଼ କଥା ହେଲା, ବିଜେପି ଏଠାରେ ବଡ଼ ବ୍ୟବଧାନ ସହିତ ବିଜୟ ହାସଲ କରିଛି । ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି । ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ବିଜୟ ପାଇଁ ଆଶା ରଖିଥିଲେ ମଧ୍ୟ ସେମାନଙ୍କୁ ଜନତା ଗ୍ରହଣ କରିନାହାନ୍ତି । ତେବେ ନିର୍ବାଚନ କମିସନ ପକ୍ଷରୁ ନୂଆପଡ଼ା ନିର୍ବାଚନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ବାକି ଅଛି ।

