ବ୍ରହ୍ମପୁର: ଆସନ୍ତାକାଲି ଗଞ୍ଜାମ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ତାରା ତାରିଣୀ ଏବଂ ପରେ ହିଞ୍ଜିଳି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ।
ଦିନ ୧୦.୩୦ରେ ତାରାତାରିଣୀ ପୀଠରେ ପହଞ୍ଚି ଦର୍ଶନ କରିବା ପରେ ଆୟୋଜିତ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହାପରେ ୧୧.୧୦ରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରାଯିବାର ସୂଚୀ ରହିଛି । ଏହାପରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ୧୧.୨୫ ମଧ୍ୟରେ ତାରାତାରିଣୀ ଗସ୍ତ ଶେଷ କରି ହିଞ୍ଜିଳି ଯିବେ ମୁଖ୍ୟମନ୍ତ୍ରୀ । ୧୧.୫୫ ସମୟରେ ହିଞ୍ଜିଳିର ମିନି ଷ୍ଟାଡିୟମରେ ପହଞ୍ଚି ବିଜୁ ପଟ୍ଟନାୟକ ଛକରେ ପିତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ନବୀନ । ଏହାପରେ ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ ଲିଙ୍କେଜ କୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଙ୍କୁ ବଣ୍ଟନ କରିବେ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।