ଭୁବନେଶ୍ୱର: ରାଜ୍ୟରେ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରୁ ବିଜେଡି ବିଜୟ ହାସଲ କରିଛି । ତିର୍ତ୍ତୋଲ ଆସନ ବିଜେଡି ପାଇଁ ନିଶ୍ଚିତ ଥିବା ବେଳେ ବାଲେଶ୍ୱରକୁ ନେଇ ଗଣତି ଶେଷ ପର୍ଯ୍ୟନ୍ତ ସନ୍ଦେହ ଲାଗି ରହିଥିଲା । କିନ୍ତୁ ଶେଷରେ ବିଜେପି ମୁହଁରୁ ବିଜେଡି ଏହି ଆସନକୁ ଛଡାଇ ନେବାରେ ସକ୍ଷମ ହୋଇଛି । ବିନା ହାଇଟେକ ବସରେ, ବିନା ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରରେ ବିଜେଡି ବାଲେଶ୍ୱରରେ ବିଜୟ ପତାକା ଉଡାଇଛି । ଦଳରେ ଥିବା ଗୃହଭେଦୀଙ୍କ ସମସ୍ତ ଷଡଯନ୍ତ୍ର ବ୍ୟର୍ଥ ହୋଇଛି ଓ ବିଜେଡି ମଦନମୋହନ ଦତ୍ତଙ୍କ ପୁତ୍ରଠାରୁ ଛଡାଇନେଇଛି ଆସନ । ଏହି ଆଶାତୀତ ବିଜୟ ପରେ ବିଜୟର ଶ୍ରେୟ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାଶ ବା ବବି ଦାଶଙ୍କୁ ଯାଉଥିବା ବିଜେଡି ଶିବିରରେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି, ବବିଙ୍କ କଥା ରବୀନ୍ଦ୍ର ମାନିବାରୁ ବିଜେଡି ସଦର ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଛି । ପୁଣି ଥରେ ବବି ବିଜେଡିର ସଙ୍କଟ ମୋଚକ ପ୍ରମାଣିତ କରିଛନ୍ତି ।
ରାଜନୀତିରେ ରୁଚି ରଖୁଥିବା ଲୋକଙ୍କୁ ଜଣା, ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଦଳରେ ବବି ବିରୋଧୀ ହାୱା ପ୍ରଖର ହୋଇଛି । ଏପରି କି ବାଲେଶ୍ୱର ଉପନିର୍ବାଚନରେ ବବିଙ୍କୁ ବିଭିନ୍ନ ଦିଗରୁ ପରୋକ୍ଷ ଆକ୍ରମଣ କରାଯାଇ ସୁପ୍ରିମୋଙ୍କ ନିକଟରେ ତାଙ୍କ ଭାବମୂର୍ତ୍ତି କ୍ଷୁନ୍ନ କରିବାକୁ ପ୍ରୟାସ କରାଯାଇଥିଲା । ବବିଙ୍କ ସମ୍ପର୍କୀୟ ହୋଇଥିବାରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଯାଇନଥିଲା । ଲକ୍ଷ୍ୟ ଥିଲା ରବୀନ୍ଦ୍ରଙ୍କ ସମର୍ଥକଙ୍କ ଦ୍ୱାରା ବିଜେଡି ବିରୋଧରେ ଭୋଟିଂ, ଯାହାକୁ ନେଇ ବବିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଛୋଟ କରାଇବା । ବବି ତଥା ରବୀନ୍ଦ୍ର ଦଳ ବିରୋଧୀ କାର୍ଯ୍ୟ କରିଥିବା ପ୍ରମାଣ କରିବା ।
ରବୀନ୍ଦ୍ର ତଥା ତାଙ୍କ ପତ୍ନୀଙ୍କୁ ଟିକେଟରୁ ବଞ୍ଚିତ କରିବା ପରେ ବିଜେଡି ଇତିହାସରେ ଦେଖା ଦେଇନଥିବା ଏକ ଘଟଣା । ରବୀନ୍ଦ୍ରଙ୍କ ସମର୍ଥକ ଖୋଲାଖୋଲି ବିଜେଡି ବିରୋଧରେ ଠିଆ ହୋଇଥିଲେ । ଟିକେଟ ବଣ୍ଟନରେ ଅନିୟମିତାର ଅଭିଯୋଗ କରିବା ସହ ବାଲେଶ୍ୱର ସଦର ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ ରୂପେ ଗ୍ରହଣ କରି ନ ଥିଲେ । ରବୀନ୍ଦ୍ରଙ୍କ ସମର୍ଥନରେ ବିଜେଡି ବିରୋଧରେ ନିଆଁ ଜଳିଥିଲା । ସମର୍ଥକମାନେ ରବୀନ୍ଦ୍ରଙ୍କୁ ଟିକେଟ ଦେବା ଦାବିରେ ଅଡି ବସିବା ସହ ବାଲେଶ୍ୱର ବିଜେଡି ମୁଖ୍ୟାଳୟ ଘେରାଉ କରିଥିଲେ । ଏପରି କି ମୁଖ୍ୟମନ୍ତ୍ରୀ ମୁର୍ଦ୍ଦାବାତର ନାରା ମଧ୍ୟ ଗୁଞ୍ଜରିତ ହୋଇଥିଲା, ଯାହା ବିଜେଡି ଇତିହାସରେ ପ୍ରଥମ ଥିଲା । ବିଜେଡିର ନିଅଁ ପଡିବାଠୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି କେବେ ଦଳ ବା ସୁପ୍ରିମୋଙ୍କ ବିରୋଧରେ ମତ ରଖି ନ ଥିଲେ । କିନ୍ତୁ ଏଠାରେ ରବୀନ୍ଦ୍ରଙ୍କ ସମର୍ଥକ ମୁଖ୍ୟମନ୍ତ୍ରୀ ମୁର୍ଦ୍ଦାବାତ ନାରା ଦେବା ସହ ନିର୍ବାଚନରେ ସ୍ୱରୂପଙ୍କ ସପକ୍ଷରେ ଭୋଟ ମାଗିବେ ନାହିଁ କି ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ଖୋଲାଖୋଲି କହିବାକୁ ପଛାଇ ନ ଥିଲେ । ପୁରା ଦୁଇ ଦିନ ପର୍ଯ୍ୟନ୍ତ ରବୀନ୍ଦ୍ରଙ୍କ ସମର୍ଥକମାନେ ଟିକେଟ ଦାବି କରି ବିଜେଡି ବିରୋଧରେ ରଣ ହୁଙ୍କାର ଦେଇଥିଲେ । ବାଲେଶ୍ୱରରେ ଦଳ ବିରୋଧୀ ନିଆଁ ହୁତୁହୁତୁ ହୋଇ ଜଳିଥିଲା । ସେହି ନିଆଁ ଦଳର ସର୍ବନାଶ କରିବ ବୋଲି ବିଶେଷଜ୍ଞ ଆକଳନ କରିଥିଲେ । ବାଲେଶ୍ୱରରୁ ବିଜେଡି ପତନର ନିଅଁ ପଡିଥିବା ମଧ୍ୟ ମତ ପ୍ରକାଶ ପାଇଥିଲା ।
ରବୀନ୍ଦ୍ର ସେନାର ଏପରି ଖୋଲା ଚ୍ୟାଲେଞ୍ଜକୁ ନେଇ ସୁପ୍ରିମୋ ମଧ୍ୟ ହତବାକ୍ ରହିଯାଇଥିଲେ । ସେମିତି ସଦର ଆସନ ବିଜେପି ଗତ ନିର୍ବାଚନରେ ହାତେଇ ଥିବା ବେଳେ ମଦନ ମୋହନଙ୍କ ପୁତ୍ରଙ୍କୁ ସେଠାରେ ବିଜେପି ପ୍ରାର୍ଥୀ କରିବାକୁ ନେଇ ବିଜେଡି ଚିନ୍ତାଗ୍ରସ୍ତ । ତା ପରେ ପୁଣି ରବୀନ୍ଦ୍ର ସେନାର ବିରୋଧ, ବିଜେଡି ହାରର କାରଣ ହେବା ଏକପ୍ରକାର ନିଶ୍ଚିତ ହୋଇଥିଲା । ଏହାକୁ ନେଇ ମୁଖିଆଙ୍କ ମୁଣ୍ଡ ଚକର ଖାଇଥିଲା । କରୋନା ମହାମାରୀର ଆତଙ୍କକୁ ନେଇ ମୁଖିଆ ହାଇଟେକ ବସରେ ଲୋକଙ୍କ ନିକଟକୁ ଯାଇ ପ୍ରଚାର କରିବାର ବାଟ ନ ଥିବା ବେଳେ ରବୀନ୍ଦ୍ର ଓ ତାଙ୍କ ସମର୍ଥକଙ୍କ ଦଳ ବିରୋଧୀ ହାୱା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଥିଲା ।
କିନ୍ତୁ ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରିବାକୁ ବବି ଭିଡିଥିଲେ ଅଣ୍ଟା । ଗୋଟିଏ ପଟେ ଦଳୀୟ ବିରୋଧୀଙ୍କ ଷଡଯନ୍ତ୍ର ଅନ୍ୟପଟେ ରବୀନ୍ଦ୍ରଙ୍କ ସମର୍ଥକ । ତେଣୁ ବବି ସମୟ ନଷ୍ଟ ନ କରି ବାଲେଶ୍ୱର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲେ । ରବୀନ୍ଦ୍ରଙ୍କୁ ମନାଇବା କାମ କରିଥିଲେ । ବବିଙ୍କ ବହୁ ବୁଝାଶୁଝା ପରେ ଶେଷରେ ବବିଙ୍କ କଥା ମାନିଲେ ରବୀନ୍ଦ୍ର । ଉଭୟ ଶ୍ୱଶୁର ଜ୍ୱାଇଁ ସେମାନଙ୍କ ସମର୍ଥକଙ୍କୁ ଏକଜୁଟ କରି ବିଜେଡିର ପ୍ରକୃତ କର୍ମୀ ପରି କାର୍ଯ୍ୟ କରିବାକୁ କହିଥିଲେ । ଯାହା ଦଳକୁ ବିଜୟ ଦେବାରେ ସହାୟ ହେଲା ।
By Shilasmita Ray