(ବ୍ରହ୍ମପୁର):ଗଞ୍ଜାମ ଜିଲ୍ଲାରେ ପୁଣି ୭୬ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଅତିକ୍ରମ କରିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ଏହି ସଂଖ୍ୟା ୯୫୫ ଥିବା ବେଳେ ଏବେ ୧୦୩୧ରେ ପହଞ୍ଚିଛି । ତେବେ ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୪ ଜଣ କରୋନା ଯୋଦ୍ଧା ଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୬ ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି । ୫୬ ଜଣ ଅନ୍ୟ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ମଧ୍ୟରୁ ୬୮୦ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଲେଣି । ୩୪୩ ଜଣ ଏବେ ଚିକିତ୍ସାଧିନ ଅଛନ୍ତି । ଏହି ମହାମାରୀ ଯୋଗୁଁ କେବଳ ଗଞ୍ଜାମ ଜିଲ୍ଲାରେ ୮ ଜଣ ଆଖି ବୁଜି ସାରିଲେଣି । ଜିଲ୍ଲାରେ ଦିନକୁ ଦିନ କରୋନା ଯୋଦ୍ଧାମାନେ ଆକ୍ରାନ୍ତ ହେଉଥିବା ବେଳେ ଏବେ ଏହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଫଳରେ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଅଫିସକୁ ଜିଲ୍ଲାପାଳ ବନ୍ଦ କରି ଦେଇଛନ୍ତି ।
previous post
