ଓଡିଶା

ମୋ ସରକାରରେ ସାମିଲ ହେବ କୋଭିଡ୍‌ ପରିଚାଳନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ୍‌ ମୁକାବିଲା କାର୍ୟ୍ୟକ୍ରମ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । କୋଭିଡ୍‌ ପରିଚାଳନାକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏହାକୁ ‘ମୋ ସରକାର’ କାର୍ୟ୍ୟକ୍ରମରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  କୋଭିଡ୍‌ ରୋଗୀ ଏବଂ କୋଭିଡ୍‌ ଯୋଦ୍ଧାମାନଙ୍କ ସହିତ ନିୟମିତ ଯୋଗାଯୋଗ କରି ସେମାନଙ୍କଠାରୁ ମତାମତ ସଂଗ୍ରହ କରିବା ପାଇଁ ଜିଲ୍ଲା କୋଭିଡ୍‌ ପର୍ୟ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅଧିକାରୀମାନେ ମଧ୍ୟ କୋଭିଡ୍‌ ଯୋଦ୍ଧା ଓ ରୋଗୀମାନଙ୍କ ଠାରୁ ମତାମତ ସଂଗ୍ରହ କରିବେ ।  ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।  ସେହିପରି ରୋଗୀଙ୍କ ପରିବାରକୁ ରୋଗୀର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ସୂଚନା ଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କୋଭିଡ୍‌ ଯୋଦ୍ଧାମାନେ କିପରି ସଂକ୍ରମଣରୁ ସୁରକ୍ଷିତ ରହିବେ ସେଥିପାଇଁ ସେମାନଙ୍କୁ ଉପଯୁକ୍ତ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥାପିତ କୋଭିଡ୍‌ କେୟାର ହୋମ୍‌ର ତଦାରଖ ପାଇଁ ଅନଲାଇନ ପ୍ରବେଶର ବ୍ୟବସ୍ଥା କରାଯିବା ଆବଶ୍ୟକ ।  ଏହା ସହିତ ବିଭିନ୍ନ କୋଭିଡ୍‌ ଡାକ୍ତରଖାନା ମଧ୍ୟରେ ଆମ୍ବୁଲାନ୍ସ ସେବାକୁ ସୁବ୍ୟବସ୍ଥିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଥିଲେ । ରାଜ୍ୟର ସବୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏବଂ ହଟ୍‌ସ୍ପଟ୍‌ ଜିଲ୍ଲାମାନଙ୍କରେ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ୤ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇ ପରି ହଟ୍‌ସ୍ପଟ୍‌ ନଗରମାନଙ୍କରୁ ଯେପରି କମ୍‌ ସଂଖ୍ୟାରେ ଟ୍ରେନ୍‌ ଓ ଉଡାଜାହାଜ ଆସିବ ସେଥିପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଗତ ଜୁନ୍‌ ୨୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ କୋଭିଡ୍‌ ପରିଚାଳନା ପାଇଁ ଦେଇଥିବା ନବସୂତ୍ରୀ ପରାମର୍ଶର କାର୍ୟ୍ୟକାରୀତା ସମ୍ପର୍କରେ ଆଲୋଚନା ହୋଇଥିଲା । ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟର ପ୍ରତି ପଞ୍ଚାୟତରେ ଗ୍ରାମ କଲ୍ୟାଣ ସମିତି ସ୍ତରରେ ୪୭୬୧୩ ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଥିବା ବେଳେ ଏହାର ସଦସ୍ୟମାନଙ୍କ ତାଲିମ ମଧ୍ୟ ଶେଷ କରାଯାଇଛି ।  ସେହିପରି ଗ୍ରାମ ପଞ୍ଚାୟତଗୁଡିକରେ ୪୯୨୧୮ ଶଯ୍ୟା ବିଶିଷ୍ଟ ୫୪୮୦ କୋଭିଡ୍‌ ଗୃହ ସ୍ଥାପନ କରାଯାଇଛି । ଏହା ସହିତ ୩୭୯୯୮ ଶଯ୍ୟା ବିଶିଷ୍ଟ ୧୧୦୫ ଟି କ୍ଲଷ୍ଟର ମଧ୍ୟ କାର୍ୟ୍ୟ କରୁଛି ।
୧୧୪ ଟି ପୌରାଞ୍ଚଳରେ ୨୦୩୫ ଟି କୋଭିଡ୍‌ କେୟାର କମିଟି ଗଠନ କରାଯାଇଥିବା ବେଳେ ୫୯୫୬ ଶଯ୍ୟା ବିଶିଷ୍ଟ କୋଭିଡ୍‌ ଗୃହ ମଧ୍ୟ ସ୍ଥାପନ କରାଯାଇଛି । ଏହା ସହିତ ୫୮୯୮୮ ଶଯ୍ୟା ବିଶିଷ୍ଟ ୮୧୮ଟି ଟିଏମସ କେନ୍ଦ୍ର ସ୍ଥାପନ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା
ରାଜ୍ୟରେ କୋଭିଡ୍‌ ପରୀକ୍ଷଣ ୩ ଲକ୍ଷରେ ପହଞ୍ଚିଥିବା ବେଳେ କେବଳ ଦ୍ବାରା ଏକ ଲକ୍ଷ ଟେଷ୍ଟ କରାଯାଇଛି ।  ମାର୍ଚ୍ଚ ମାସରେ ରାଜ୍ୟରେ କେବଳଆରଏମଆରସିରେ ପରୀଷା କରାଯାଉଥିବା ବେଳେ ବର୍ତ୍ତମାନ ୧୯ ଟି ଲାବୋରେଟୋରୀରେ ପରୀକ୍ଷା କରାଯାଉଛି ।  ଆଗାମୀ ଦିନରେ ପୁରୀ, ଅନୁଗୁଳ, ଯାଜପୁର, ଝାରସୁଗୁଡା, କଲାହାଣ୍ଡି ଓ କେନ୍ଦୁଝରଠାରେ ମଧ୍ୟ ପରୀକ୍ଷାର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯଇଥିଲା ।  ପୁରୀ, ଭୁବନେଶ୍ବର ଓ ଗଞ୍ଜାମରେ ସେରେଲୋଜିକାଲ ଟେଷ୍ଟ ଚାଲିଛି ଏବଂ ଗଞ୍ଜାମକୁ ଆଣ୍ଟିଜେନ ଟେଷ୍ଟ ପାଇଁ ଅଧିକ କିଟ୍‌ ପଠାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।
ବର୍ତ୍ତମାନ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ୨୬ ହଜାର ଶଯ୍ୟା ଥିବା ବେଳେ ବର୍ତ୍ତମାନ ୩୫୦୦ ରୋଗୀ ଚିକିତ୍ସିତ ହେଉଛନ୍ତି ।  ଭାରତ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅଳ୍ପ ଓ ମଧ୍ୟମ ଲକ୍ଷଣଯୁକ୍ତ ରୋଗୀମାନଙ୍କୁ କୋଭିଡ୍‌ ଗୃହରେ ରଖି ଚିକିତ୍ସା ସେବା ଯୋଗାଇ ଦେବା ଏବଂ କେବଳ ଗୁରୁତର ରୋଗୀମାନଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରିବା ସମ୍ପର୍କରେ ଅଧିକ ବିଚାର ଆଲୋଚନା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ।

Related posts

ଶୁଣ୍ଢରେ କଚାଡି ଦେଲା ହାତୀ, ମହିଳା ଗୁରୁତର

mahabharatanews

ବର୍ଷା ସମ୍ଭାବନା : ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ଅଧାରୁ ହାତ ଛାଡିଦେବେ କି ୱାସିମ ଜାଫର!

mahabharatanews