ଭୁବନେଶ୍ୱର : ରାଜ୍ୟରେ ସାଇବର ଠକଙ୍କ ଉତ୍ପାତ ବଢିବାରେ ଲାଗିଛି । ୨୦୧୮-୧୯ ବର୍ଷରେ ଏହି ଧରଣର ୧୧୫ଟି ମାମଲା ରୁଜୁ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ୨୫୨ରେ ପହଞ୍ଚିଛି । ଆର୍ଥିକ ବର୍ଷ ଶେଷ ବେଳକୁ ଏହି ସଂଖ୍ୟା ଓଡିଶାରେ ଢେର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ୨୦୧୮-୧୯ ବର୍ଷରେ ରାଜ୍ୟରେ ୧୧୫ଟି ସାଇବର ଠକେଇ ମାମଲା ପଦାକୁ ଆସିଥିବାବେଳେ ଠକମାନେ ଲୋକଙ୍କ ଠାରୁ ୫୩ଲକ୍ଷ ଟଙ୍କା ଠକି ନେଇଥିଲେ । ୨୦୧୯-୨୦ ବର୍ଷରେ ରାଜ୍ୟରେ ସାଇବର ଠକେଇ ପ୍ରାୟ ୪ଗୁଣରୁ ଅଧିକ ହୋଇଯାଇଥିଲା । ସେହିବର୍ଷ ଓଡିଶାରେ ୫୮୧ଟି ସାଇବର ଠକେଇ ପଞ୍ଜିକୃତ ହୋଇଥିବାବେଳେ ଠକମାନେ ୩କୋଟି ୧୦ଲକ୍ଷ ଟଙ୍କାର ଚୂନ ଲଗାଇଥିଲେ । ତେବେ ଏହାପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଓ ଲୋକେ ସତର୍କ ହେବାକୁ ଠକେଇ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲା ।
୨୦୨୦-୨୧ ବର୍ଷରେ ରାଜ୍ୟରେ ୩୦୦ଟି ସାଇବର ଠକେଇ ହୋଇଥିବାବେଳେ ଲୋକଙ୍କର ପ୍ରାୟ ଏକ କୋଟି ୩୯ ଲକ୍ଷ ଟଙ୍କା ଠକମାନେ ନେଇଯାଇଥିଲେ । ଏହା ପରବର୍ଷ ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ଡିସେମ୍ବର ଶେଷ ସୁଦ୍ଧା ୨୫୨ଟି ସାଇବର ଠକେଇ ନଜରକୁ ଆସିଥିବାବେଳେ ଠକମାନେ ପାଖପାଖି କୋଟିଏ ଟଙ୍କା ଚଳୁ କରିସାରିଲେଣି । ତେବେ ରାଜ୍ୟ ସରକାର ସ୍ୱତନ୍ତ୍ର ସାଇବର ଥାନା ଗଠନ ସହିତ ସାଇବର ସେଲ୍କୁ ସତର୍କକରିବା ଫଳରେ ଏବେ ଠକମାନେ ନେଇ ଯାଉଥିବା ଅର୍ଥକୁ କିଛି ପରିମାଣର ଫେରାଇ ଆଣିବା ସମ୍ଭବ ହୋଇପାରୁଛି । ସାଇବର ଠକମାନେ ଯେଭଳି ଦିନକୁ ଦିନ ନୂଆ ନୂଆ ଉପାୟରେ ଠକୁଛନ୍ତି ସେଥିରେ ସାଧାରଣ ଲୋକେ ସଚେତନ ନହେଲେ ଏହାକୁ ପ୍ରତିହତ କରିବା ସମ୍ଭବପର ନୁହେଁ ବୋଲି ସାଇବର ବିଶେଷଜ୍ଞମାନେ କହୁଛନ୍ତି ।
