(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରାଜ୍ୟରେ ଡେଙ୍ଗୁ ରୋଗୀ ସଂଖ୍ୟା । ଯାହାକି ଉଭୟ ପ୍ରଶାସନ ଓ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲିଟିଛି । ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦୦ ପାର୍ ହୋଇଛି । ଅଗଷ୍ଟ ୧୬ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨,୧୧୧ କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧ ,୧୫୫ ଡେଙ୍ଗୁ ମାମଲା ଚିହ୍ନଟ ହୋଇଛି ।
ସେହିପରି ବାଲେଶ୍ୱରରୁ ୧୭୯ , ପୁରୀରୁ ୧୫୦ ଜଣ, କଟକରୁ ୧୨୫ ଜଣ ଓ ଜଗତସିଂହପୁର ଜିଲ୍ଲାରୁ ୧୦୧ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଡେଙ୍ଗୁ ଆକ୍ରାନ୍ତରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ଗତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୪୪୧ ଥିଲା । ଏହି ସମୟରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ସହରର ବିଦ୍ୟାଳୟରେ ଏକ ସଚେତନତା ଅଭିଯାନ ଆରମ୍ଭ କରିଛି । ଧୀରେ ଧୀରେ ରାଜ୍ୟ ରାଜଧାନୀର ସମସ୍ତ ବିଦ୍ୟାଳୟରେ ଡେଙ୍ଗୁ ସଚେତନତା ଡ୍ରାଇଭ୍ କରିବା ନେଇ ବିଏମସି ଲକ୍ଷ୍ୟ ରଖିଛି । ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଡେଙ୍ଗୁ ନେଇ ସଚେତନ କରାଯିବ । ସ୍କୁଲରେ ସଚେତନତା ବ୍ୟତୀତ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ ବଢ଼ାଇବା, ସଫେଇ ଏବଂ ଘର ଭିତର ସଫା ରଖିବାକୁ ପରାମର୍ଶ ଦେବ ବିଏମସି । ରାଜଧାନୀରେ ବଢୁଥିବା ଡେଙ୍ଗୁ ରୋଗୀଙ୍କ ସଂଖ୍ୟାକୁ ଦେଖି ବିଭିନ୍ନ ନିଷ୍ପତ୍ତି ନିଆଯାଇଛି ।