(ପୁରୀ) : ଶ୍ରୀମନ୍ଦିରରେ ତିନି ଦିନ ଧରି ଚାଲିଥିବା ଦେବ ଦୀପାବଳି ନୀତି ଶେଷ ହୋଇଛି। ଆଜି ଶୁକ୍ଳ ପ୍ରତିପଦ ତିଥିରେ ବି ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପାଞ୍ଜି ଅନୁସାରେ ମହାପ୍ରଭୁ ଶ୍ରୀକୃଷ୍ଣ ରୂପରେ ଦ୍ବାପର ଯୁଗର ଦେବକୀ ଓ ବସୁଦେବ ଏବଂ ନନ୍ଦ ଓ ଯଶୋଦାଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ପିଣ୍ଡଦାନ କରିଛନ୍ତି। ଏହା ପରେ ମହାଜନ ସେବକ ଠାକୁରଙ୍କୁ ଝୁଲଣ ମଣ୍ଡପ ତଳେ ଥିବା ବିମାନରେ ବିଜେ କରାଇଥିଲେ।
ସୂଚନାନୁଯାୟୀ , ଏହି ଉପଲକ୍ଷେ ଶ୍ରୀମନ୍ଦିର ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବା ସହ ଶ୍ରୀମନ୍ଦିରକୁ ଆଲୋକମାଳାରେ ସଜାଯାଇଥିଲା। ଚୂଡ଼ାନ୍ତ ନୀତି ଅନୁଯାୟୀ, ପାଣିପଡ଼ି ରତ୍ନସିଂହାସନ ତଳେ ଚାଉଳଗଛରେ ଦୀପଦାନ କରାଯାଇଥିଲା। ଏହି ସମୟରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନକୁ ବିଜେ କରିଥିଲେ। ମୁଦିରସ୍ତ ପ୍ରସାଦ ଲାଗି କଲା ପରେ ତିନି ବାଡ଼ରୁ ପୂଜାପଣ୍ଡା ଆସି ଚାଉଳ ଗଛକୁ ସଂସ୍କାର କରି ପାଣି ଛଡ଼ାଇଥିଲେ। ପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି ବାଡ଼ରେ ବନ୍ଦାପନା କରିଥିଲେ।