(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ): କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ହସିଣା ଗ୍ରାମର ଦିବ୍ୟାଙ୍ଗ ସରୋଜକାନ୍ତ ପରିଡା ଓ ତାଙ୍କ ପରିବାରବର୍ଗଙ୍କୁ ମାଡ ଘଟଣାକୁ ମାସେ ବିତି ଯାଇଥିଲେ ମଧ୍ୟ ନ୍ୟାୟ ମିଳିନାହିଁ । ପୋଲିସ ପକ୍ଷରୁ କେବଳ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲେ ମଧ୍ୟ ଏଥିରେ କୌଣସି ନୂଆ ମୋଡ ଦେଖିବାକୁ ମିଳିନାହିଁ । ଫଳରେ ବାଧ୍ୟ ହୋଇ ଦିବ୍ୟାଙ୍ଗ ସରୋଜକାନ୍ତଙ୍କ ପରିବାର ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏହାସହ ତାଙ୍କ ଉପରେ ହୋଇଥିବା ଜୁଲମ ସମ୍ପର୍କରେ ଅନ୍ୟ ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି । ତେବେ ଦିବ୍ୟାଙ୍ଗଙ୍କ ପରିବାର ମାଡ ଖାଇ, ଗାଳି ଓ ଧମକ ଶୁଣି ଭୟରେ ଦିନ କାଟୁଥିବା ବେଳେ ଘଟଣାର ଅଭିଯୁକ୍ତ ଏଯାଏ ଗିରଫ ହୋଇପାରିନାହିଁ । ଜମିଜମା ବିବାଦ ବୋଲି ଦର୍ଶାଇ ପୋଲିସ ବେଳେ ବେଳେ ଛାନଭିନ କରି ଚାଲିଯାଉଛି ।
ସୂଚନାଯୋଗ୍ୟ, ଦିବ୍ୟାଙ୍ଗ ସରୋଜକାନ୍ତ ପରିଡା ଓ ତାଙ୍କ ଦାଦା ବ୍ରହ୍ମାନନ୍ଦ ପରିଡାଙ୍କ ମଧ୍ୟରେ ପୂର୍ବରୁ ଜମିବାଡି ବିବାଦ ରହିଛି । ଗତମାସ ୩ ତାରିଖରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ତେବେ ସରୋଜକାନ୍ତ ଭିନ୍ନକ୍ଷମ ହୋଇଥିବାରୁ ସେ ପ୍ରତିବାଦ ଜଣାଇବା ବେଳେ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ନିର୍ଧୁମ ମାଡ଼ ଖାଇବାକୁ ପଡିଥିଲା । ଏନେଇ ପୋଲିସ ନିକଟରେ ନିଜ ଦାଦାଙ୍କ ବରୁଦ୍ଧରେ ସେ ଅଭିଯୋଗ ଦାଖଲ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଓଲଟା ଅଭିଯୁକ୍ତଙ୍କ ପକ୍ଷରୁ ତାଙ୍କ ପରିବାରକୁ ଅକର୍ମଣ୍ୟ କରିଦେବାକୁ ଧମକ ଦିଆଯାଇଥିଲା । କେବଳ ଏତିକି ନୁହେଁ, ବିବାଦକୁ ନେଇ ଅଭିଯୁକ୍ତଙ୍କ ତରଫରୁ ଦିଆଯାଇଥିବା ଏତଲାକୁ ଭିତ୍ତି କରି ପୁଲିସ ତଦନ୍ତ ଚଳାଇଛି। ଏଣୁ ଅନ୍ୟ ଉପାୟ ନପାଇ ଦିବ୍ୟାଙ୍ଗ ସରୋଜକାନ୍ତଙ୍କ ପରିବାର ନ୍ୟାୟ ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ।