(ରଜନୀ କାନ୍ତ ପାତ୍ର/ଗୋପୀନାଥପୁର): ପୁରୀ ଉପକଣ୍ଠ ଗୋପୀନାଥପୁର ପଞ୍ଚାୟତରେ ବନ୍ୟା ପରିସ୍ଥିତିର ସଙ୍ଗୀନ ଚିତ୍ର । ଉକ୍ତ ପଞ୍ଚାୟତର ମୁକୁନ୍ଦ ମିଶ୍ର ନଗରରେ ବନ୍ୟା ଜଳ ପଶି ଯାଇ ଥିବା ହେତୁ ଲୋକ ମାନେ ନାହିଁ ନ ଥିବା ସମସ୍ୟା ଦେଇ ଗତି କରୁଛନ୍ତି । ଲୋକଙ୍କ ଘରେ ପାଣି ପସିବା ସହ ଫସଲ ଜମିରେ ବନ୍ୟାଜଳ ମାଡି ଯାଇଛି । ଯାହା ଫଳରେ ଚାଷୀ ମାନେ କ୍ଷତି ସହିଛନ୍ତି । ଘର ଆଗରେ କେଉଁଠି ଛାତି ଏ ଉଚ୍ଚର ପାଣି ର ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି। ମଙ୍ଗଳା ନଦୀର ବନ୍ୟାଜଳ ପ୍ରବେଶ ପରେ ମୁକୁନ୍ଦ ମିଶ୍ର ନଗର ସମେତ ମାଟି ତୋଟା, ସୁଜାତା ନଗର ଆଦି ଅଞ୍ଚଳ ବନ୍ୟାଜଳରେ ବୁଡି ରହିଛି । ଅଭିଯୋଗ ହୋଇଛି ଯେ ପ୍ରଶାସନର ଅବହେଳା ହେତୁ ପ୍ରତିବର୍ଷ ଏଭଳି ବନ୍ୟା ଅବସ୍ଥା ଉପୁଜୁଛି। ମଙ୍ଗଳା ଘାଟ ବାଇପାସ ରାସ୍ତା ଉପରୁ ବନ୍ୟା ଜଳ ନିଷ୍କାସନ ହୋଇପାରୁନି । ଯାହା ଫଳରେ ଏହି ଅବସ୍ଥାର କାରଣ ଲୋକେ ପ୍ରଶାସନର ଅପାରଗତା ବୋଲି ଦର୍ଶାଇଛନ୍ତି । ପାଣି ନିଷ୍କାସନ ହୋଇନଥିବାରୁ ଦୀର୍ଘ ଦିନ ଜମି ରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଅନେକ ଲୋକଙ୍କୁ ଚର୍ମ ରୋଗ ବ୍ୟାପିଲାଣି। ସେହିପରି ବିଭିନ୍ନ ସରୀସୃପ ଘରେ ପଶି ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛନ୍ତି। ପ୍ରତିବର୍ଷ ସ୍ଥାନୀୟ ଲୋକ ଏନେଇ ପ୍ରଶାସନର ଦ୍ୱାରସ୍ଥ ହୋଇ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପୁରୀ ଅଠର ନଳା ପାଖରେ ଯଦି ଏଭଳି ଅବସ୍ଥା ତାହେଲେ ସମଗ୍ର ଜିଲ୍ଲାରେ ବନ୍ୟାରେ କିଭଳି ଜିଲ୍ଲା ପ୍ରଶାସନ ବନ୍ୟା ପୀଡିତଙ୍କ ପାଇଁ କାମ କରୁଛି ତାହା ନେଇ ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି । ତେବେ ଗତ ୪ ଦିନ ହେବ ଅନେକ ଲୋକ ମଧ୍ୟ ଡ଼ଙ୍ଗା ରେ ନିଜ ଘରକୁ ଯାତାୟାତ କରୁଛନ୍ତି। ପୁରୀ ସହରାଞ୍ଚଳରେ ଡ଼ଙ୍ଗା ଚାଲିବା ଚର୍ଚ୍ଚାର ବିଷୟ ପାଲଟିଛି ।
previous post
