ଓଡିଶା

ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି: ଶଙ୍କରାଚାର୍ଯ୍ୟ

ପୁରୀ: ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। କହିଛନ୍ତି ଶ୍ରୀମନ୍ଦିରର କୌଣସି କ୍ଷେତ୍ରରେ ମୋତେ ପଚାରୁ ନାହାନ୍ତି କିମ୍ବା ପରାମର୍ଶ ନେଉନାହାନ୍ତି । ଏପରି କହି କ୍ଷୋଭ ପ୍ରକାଶ କରିଛନ୍ତି  ଶଙ୍କରାଚାର୍ଯ୍ୟ । ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ହେଉ କି ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଖୋଲାଯାଇଛି। ହେଲେ ଏ ପ୍ରସଙ୍ଗ ହେଉ ବା ଶ୍ରୀମନ୍ଦିରର ଅନ୍ୟ କୌଣସି ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ପରାମର୍ଶ ନେଇନାହାନ୍ତି।

ଶୁକ୍ରବାର ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ଏହି ସାକ୍ଷାତ ବେଳେ ହିନ୍ଦୁ ରାଷ୍ଟ୍ର, ସନାତନ ଧର୍ମ, ମାତୃ ଶକ୍ତିର ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜଗତ୍‌‌ଗୁରୁ ଗଣମାଧ୍ୟମକୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ରାଜ୍ୟ ସରକାର କୌଣସି ଧାର୍ମିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ମୋର ପରାମର୍ଶ ନେଉନାହାନ୍ତି। ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି, ସରକାର ସମସ୍ତେ ମୋଠାରୁ ଦୂରତା ଅବଲମ୍ବନ କରୁଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଉନାହାନ୍ତି ସରକାର। ରତ୍ନଭଣ୍ଡାର ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ବେଳେ ମୋତେ ଅବଗତ କରାଯାଉନାହିଁ।

ଶ୍ରୀମନ୍ଦିରର ଯେ କୌଣସି କାର୍ଯ୍ୟରେ ମୋର ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସମସ୍ତେ ଅଣଦେଖା କରୁଛନ୍ତି। ମହାପ୍ରଭୁଙ୍କର ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମରେ ରାଜନେତାମାନେ ନିଷ୍ପତ୍ତି ନେଉଛନ୍ତି, ଯାହା ଆଦୌ ଠିକ୍‌‌ ନୁହେଁ। ଏଭଳି ମନମୁଖୀ କାମ ପାଇଁ ଅଘଟଣ ଘଟୁଛି। ରଥରେ ବଡ଼ଠାକୁର ବଳଭଦ୍ର ପଡ଼ିଗଲେ। ମହାପ୍ରଭୁ ସବୁ ସହିବେ ଗର୍ବ ସହିବେ ନାହିଁ, ଆଗକୁ ବଡ଼ ବିପଦ ଆସୁଛି ବୋଲି ବଡ଼ଠାକୁର ସଙ୍କେତ ଦେଇଥିବା କହିଛନ୍ତି ଶଙ୍କରଚାର୍ଯ୍ୟ।ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗିବା, ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ଉଦ୍‌‌ବେଗ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ।

Related posts

ଅନୁଗୁଳରେ କରେଣ୍ଟ ଦେଇ ହାତୀକୁ ହତ୍ୟା

mahabharatanews

ବନ୍ଦଘରୁ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର

mahabharatanews

ହାତୀ ଆକ୍ରମଣରେ ଯୁବକ ମୃତ

mahabharatanews