ଭୁବନେଶ୍ୱର: ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଚାପରେ । ଖୁବ ଶୀଘ୍ର ମନ୍ତ୍ରୀ ପଦରୁ ଦେବେ ଇସ୍ତଫା । ହୁଏତ ଆଜି ରାତ୍ରୀ ସୁଦ୍ଧା ଇସ୍ତଫା ଦେଇ ପାରନ୍ତି ଦିବ୍ୟ । ଆଉ ଦିବ୍ୟଙ୍କ କଳଙ୍କକୁ ଅଣ୍ଟିରେ ପୁରେଇପାରୁନି ସରକାର । ଚାରି ଆଡୁ ସରକାର ଉପରେ ଚାପ । ପରୀ, ସୌମ୍ୟ, ମାହାଙ୍ଗା ଡବଲ ମର୍ଡର ପରି ଘଟଣାକୁ ସିନା ଚପେଇ ଦିଆଗଲା, ହେଲେ ମମିତା ହତ୍ୟା ଘଟଣା ସରକାରକୁ ନାକେଦମ କରିସାରିଲାଣି । ଗୋଟିଏ ଦିନରେ ସାରା ରାଜ୍ୟରେ ଜଳିଛି ନିଆଁ । ସ୍ଥିତି ଏମିତି ହୋଇଛି କି ଅତି ପ୍ରିୟ ଓ ସ୍ୱଚ୍ଛ ନିର୍ମଳ ତଥା ଅହିଂସାର ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ କୁଶ ପୂତ୍ତଳିକା ଦାହ କରିବାକୁ ପଛାଇ ନାହାନ୍ତି ଜନତା । ସ୍ଥିତି ଅଣାୟତ୍ତ । ଏପରି ସ୍ଥିତି ଜାରି ରହିଲେ ଜାନକୀ ପଟ୍ଟନାୟକଙ୍କ ଅବସ୍ଥା ହେବାର ଆଶଙ୍କା ଦେଖା ଦେଲାଣି । ତେଣୁ ଉପର ମହଲରୁ ଦିବ୍ୟଙ୍କ ଉପରେ ଚାପ ବେଳୁ ବେଳ ବଢୁଛିି । ଦେଇଥିବା ଦୁଇ ଦିନର କଣ୍ଟ ମଧ୍ୟରେ ପରିସ୍ଥିତିରେ ସୁଧାର ଆଣି ପାରି ନାହାନ୍ତି ମନ୍ତ୍ରୀ । ତେଣୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ବିଜେଡିର ଭିତିରି ମହଲରୁ ଶୁଣିବାକୁ ମିଳିଛି ।
ମହାଲିଙ୍ଗ ସନସାଇନ କଲେଜ ଅଧ୍ୟାପିକା ମମିତା ମେହେର ନିଖୋଜ ଘଟଣାରେ ପରିବାର ବର୍ଗଙ୍କ ପକ୍ଷରୁ ଏଫଆଇଆର ଦିଆଗଲା । କିନ୍ତୁ ପୁଲିସ ଏହାକୁ ଗ୍ରହଣ କଲାନାହିଁ । ସବୁ ଠିକ ହୋଇଯିବ, ଝିଅ ଫେରି ଆସିବ ବୋଲି ପୁଲିସ ଆଶ୍ୱାସନା ଦେଇଥିଲା । କିନ୍ତୁ ଯେତେବେଳେ ମମିତାଙ୍କ ଜଣେ ବାନ୍ଧବୀ ଓ ଗୋବିନ୍ଦଙ୍କ ସହ ମମିତାଙ୍କ ଦାଦାଙ୍କ ଅଡିଓ ଭାଇରାଲ ହେଲା ଗଣମାଧ୍ୟମ ଏହାକୁ ଘନ ଘନ ପ୍ରସାରଣ କଲା । ଆଇନ ମନ୍ତ୍ରୀ ପ୍ରତାପ ଜେନା କଲେଜର ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଆବେଗରେ କହିଥିବା କଥା, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଏହି କଲେଜ ଜୀବନ । ମନ୍ତ୍ରୀ ଦିବ୍ୟଶଙ୍କର ଓ ଗୋବିନ୍ଦଙ୍କ ଘନିଷ୍ଠତା ବଖାଣିବାକୁ ଗଣମାଧ୍ୟମ ସାମ୍ନାକୁ ଆଣିଥିଲା । ଏଥିସହ ମମିତାଙ୍କ ମା ଓ ବାପା ଅଭିଯୋଗ ଆଣିଥିଲେ କି କଲେଜରେ ସଭାପତି ବହୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିଲେ । ମନ୍ତ୍ରୀ ନିୟମିତ କଲେଜକୁ ଅନ୍ଧାରୀ ବିଜେ କରୁଥିଲେ । କଲେଜ ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ଉପଭୋଗ କରୁଥିଲେ । ଏହା ପରେ ସରକାର ତଥା ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପାଇଁ ଅଡୁଆ ବଢିଥିଲା ଆଉ ପୁଲିସ ଗିରଫ କରିଥିଲା ଫେରାର ଗୋବିନ୍ଦକୁ ।
ତଥାପି କମୁନି ସରକାରର ଅଡୁଆ । ମନ୍ତ୍ରୀଙ୍କ ଇସ୍ତଫା ସହ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ରାଜ୍ୟର ବିଭିନ୍ନ ପ୍ରାନ୍ତରେ । ମମିତାଙ୍କ ଘଟଣାରେ ଯେଉଁ ଆକ୍ରୋଶ ବର୍ତ୍ତମାନ ଦେଖାଦେଇଛି ଲୋକଙ୍କ ମଧ୍ୟରେ ତାହା ପୂର୍ବରୁ ଦେଖାଦେଇ ନ ଥିଲା । ଗୋଟିଏ ରାତିରେ ସାରା ରାଜ୍ୟ ଜଳିଉଠିଛି, କାରଣ ଶିକ୍ଷାନୁଷ୍ଠାନ ପରି ଏକ ପବିତ୍ର ସ୍ଥଳରେ ବେଶ୍ୟାବୃତ୍ତିକୁ ଗ୍ରହଣ କରିପାରୁ ନାହାନ୍ତି ରାଜ୍ୟବାସୀ । ଗୋବିନ୍ଦ ଗିରଫ ଦାରି ମଧ୍ୟ ଥମାଇ ପାରିନାହିଁ ଆକ୍ରୋଶକୁ । ଯାହା ମୁଖ୍ୟମନ୍ତ୍ରୀଙ୍କ ଗାଦି ପ୍ରତି ବିପଦ ସୃଷ୍ଟି କରିଛି । ଏମିତି ଆକ୍ରୋଶ ଦିନେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଗାଦି ଛଡାଇନେଇଥିଲା । ତେଣୁ ନିଜ ଗାଦି ବଞ୍ଚାଇବାକୁ ତଥା ଲୋକଙ୍କ ଆକ୍ରୋଶ ପ୍ରଶମିତ କରିବାକୁ ଶେଷରେ ମନ୍ତ୍ରୀଙ୍କୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ପଡୁଛି ବୋଲି ଅନ୍ଦର ମହଲରୁ ଶୁଣିବାକୁ ମିଳୁଛି ।
