କଟକ : ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ଦାୟର ତିନୋଟି ପୃଥକ ମାମଲାର ହାଇକୋର୍ଟ ଏକତ୍ର ଶୁଣାଣି କରିଛନ୍ତି। ଶୁଣାଣି ପରେ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ୪ ସପ୍ତାହ ମଧ୍ୟରେ ମୁଖ୍ୟ ଶାସନ ସଚିବ, ରାଜ୍ୟ ନିର୍ବାଚନ କମିଶନଙ୍କୁ ଜବାବ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ୟ୍ୟ ସୂଚନା ଦେଇଛନ୍ତି।
କଟକ, ପୁରୀ ଓ ଭୁବନେଶ୍ବରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୌରାଞ୍ଚଳ ନିର୍ବଚନର କାର୍ୟ୍ୟକାଳ ୨୦୧୯ରୁ ଶେଷ ହୋଇଛି। ଜନପ୍ରତିନିଧିତ୍ୱ ଅନୁସାରେ ଯେଉଁ ସଂସ୍ଥା ପରିଚାଳିତ ହେବା କଥା ତାକୁ ଏବେ ସରକାରୀ ଅଧିକାରୀମାନ ଚଳାଉଛନ୍ତି। ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। କିନ୍ତୁ ଇତି ମଧ୍ୟରେ ତିନି ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
