(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଦିଗପହଣ୍ଡି ବ୍ଳକ କଇଠଡା ଗ୍ରାମ ପଞ୍ଚାୟତରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରପଞ୍ଚ ଭୀମସେନ ସାହୁ ସମଗ୍ର ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛନ୍ତି। ୭ ଦିନ ଧରି ଏହି ସଟଡାଉନ ବଳବତ୍ତର ରହିବ ବୋଲି ପଞ୍ଚାୟତବାସୀଙ୍କୁ ଜଣାଇ ଦିଆଯାଇଛି। ଯଦି କେହି ଏହି ନିର୍ଦ୍ଦେଶନାମାର ଖିଲାପ କରନ୍ତି ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସତର୍କ କରାଇ ଦିଆଯାଇଛି। ସଟଡାଉନ ସମୟରେ କେବଳ ନିତ୍ୟବ୍ୟବହାର୍ଯ୍ୟ ଦୋକାନକୁ ବାଦ ଦେଲେ ଅନ୍ୟ ସମସ୍ତ ଦୋକାନଗୁଡିକ ବନ୍ଦ ରହିବ ଏବଂ ଅତି ଆବଶ୍ୟକ ନ ହେଲେ ଗାଁ ଲୋକେ ଘରୁ ନ ବାହାରିବା ପାଇଁ ଡେଙ୍ଗୁରା ପିଟି କୁହାଯାଇଛି । ଏହି ସଟଡାଉନ ଘୋଷଣା ସମୟରେ ବିଡିଓ ହଳଧର ଶବର, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ, ସିଡିପିଓ ଯୋଶବନ୍ତି ସାହୁ, ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ନିବେଦିତା ପଣ୍ଡା, ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀଙ୍କ ସମେତ ପଞ୍ଚାୟତର ସମସ୍ତ ଓ୍ୱାର୍ଡ ସଭ୍ୟ ,କୋଭିଡ ସ୍ଵେଚ୍ଛାସେବୀ, ଅଙ୍ଗନୱାଡି ଓ ଆଶାକର୍ମୀମାନେ ଉପସ୍ଥିତ ଥିବା ସରପଞ୍ଚ ଭୀମସେନ ସାହୁ ସୂଚନା ଦେଇଛନ୍ତି।
