ଭୁବନେଶ୍ୱର : ସହରର ବସ୍ତିବାସିନ୍ଦା ମାନଙ୍କ ପାଇଁ ଆଜି ଭଲ ଦିନ । ଯେଉଁମାନେ ଆମ ସହରକୁ ଗଢନ୍ତି, ଦିନରାତି ସହରର ବିକାଶ ପାଇଁ କାମ କରନ୍ତି ଓ ସେବା କରନ୍ତି, ସେମାନଙ୍କ ପାଇଁ ଭଲ ଦିନ ଆସିଛି । ସହରରେ ନିଜ ଜମିର ମାଲିକ ହେବେ ବସ୍ତିବାସିନ୍ଦା । ଆଜିଠୁ ରାଜ୍ୟର ୫ଟି ମହାନଗର ନିଗମରେ ବସ୍ତି ବାସିନ୍ଦାଙ୍କ ସର୍ଭେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ବିଧିବଦ୍ଧ ଭାବରେ ଆଜି ଶୁଭାରମ୍ଭ କରିଛନ୍ତି। ଜାଗା ମିଶନରେ ହେବାକୁ ଥିବା ଏହି ସର୍ଭେ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହ ଆଲୋଚନା ହୋଇଛି। ରାଜ୍ୟ ସରକାର ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନ ମଧ୍ୟରେ ଆଜି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ଟି ସହରାଞ୍ଚଳର ୭୦୭ଟି ବିଜୁ ଆଦର୍ଶ କଲୋନୀକୁ ଲୋକାର୍ପିତ କରିଥିଲେ ଏବଂ ହିଞ୍ଜିଳିକାଟୁ ଓ ଦିଗପହଣ୍ଡି ଆଜି ଠାରୁ ସଂପୂର୍ଣ୍ଣ ବସ୍ତିମୁକ୍ତ ସହର ହେବାର ନୂଆ ପରିଚୟ ପାଇଲା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହା ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ବହୁତ ଖୁସିର ବିଷୟ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜମି ଅଧିକାର ସହିତ ବସ୍ତି ଅଞ୍ଚଳକୁ ମୌଳିକ ସୁବିଧା ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀ ଗଠନ କରାଯାଉଛି। ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ପୂର୍ବରୁ ଜାଗା ମିଶନ ଯୋଜନାରେ ରାଜଧାନୀର ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ବସ୍ତିଗୁଡ଼ିକରେ ଡ୍ରେନ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍ ଓ ଷ୍ଟ୍ରିଟ୍ ଲାଇଟ୍ ଆଦି ଯୋଗାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୩ ଟି ପୌର ସଂସ୍ଥାର ୭୦୭ ଉନ୍ନୀତ ବସ୍ତିକୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିଛନ୍ତି। ଏଥି ସହିତ ହିଞ୍ଜିଳିକାଟୁ ଓ ଦିଗପହଣ୍ଡିକୁ ବସ୍ତିମୁକ୍ତ ସହର ରୂପେ ଘୋଷଣା କରାଯାଇଛି।
