ବେକରେ ଆଘାତ ଯୋଗୁଁ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିପାରିବେ ନାହିଁ । ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ଗିଲଙ୍କ ବେକରେ ଆଘାତ ଲାଗିଥିଲା । ଏପରିକି ତାଙ୍କୁ ଡାକ୍ତରଖାନାରେ ଗୋଟିଏ ଦିନ ଚିକିତ୍ସିତ ହେବାକୁ ପଡ଼ିଥିଲା । ସେ ଦଳ ସହ କୋଲକାତାରୁ ଗୌହାଟୀ ଯାତ୍ରା କରିଥିଲେ ହେଁ ଦ୍ୱିତୀୟ ଟେଷ୍ଟରେ ଖେଳୁ ନାହାନ୍ତି । କ୍ଷତିର ପରିମାଣ ନିର୍ଣ୍ଣୟ କରିବା ପାଇଁ ସେ ବର୍ତ୍ତମାନ ମୁମ୍ବାଇରେ ଏମ୍ଆରଆଇ ସମେତ ଡାକ୍ତରୀ ପରୀକ୍ଷା କରୁଛନ୍ତି । ଏହା ମାଂସପେଶୀ ଆଘାତ ନା ସ୍ନାୟୁ ସମ୍ବନ୍ଧୀୟ ଆଘାତ ଯାହା ପାଇଁ ଅଧିକ ବିଶ୍ରାମ ଆବଶ୍ୟକ ତାହା ଜାଣିବା ପାଇଁ ସମସ୍ତ ପରୀକ୍ଷା କରାଯାଉଛି ।

ପୂର୍ବରୁ ଶ୍ରେୟାସ ଆୟର ମଧ୍ୟ ଆହତ ରହିଛନ୍ତି । ଉଭୟ ଗିଲ୍ ଓ ଆୟର ଦିନିକିଆ ଦଳର ଅଧିନାୟକ ଓ ଉପ ଅଧିନାୟକ । ଉଭୟଙ୍କ ଅନୁପସ୍ଥିତିରେ ଦିନିକିଆ ସିରିଜ ପାଇଁ ନୂଆ ଅସ୍ଥାୟୀ ଅଧିନାୟକ ଓ ଉପଅଧିନାୟକ ନିଯୁକ୍ତ କରାଯିବ । ୱିକେଟକିପର-ବ୍ୟାଟର ରିଷଭ ପନ୍ତ ଏବଂ ବରିଷ୍ଠ ଖେଳାଳି କେଏଲ ରାହୁଲ ଅଧିନାୟକତ୍ୱ ପାଇଁ ଦୌଡ଼ରେ ଅଛନ୍ତି । ଅକ୍ଷର ପଟେଲ ଅଧିନାୟକ ନିଯୁକ୍ତି ପାଇବାର ସମ୍ଭାବନା ରହିଛି । ସେହିପରି ୱାସିଂଟନ ସୁନ୍ଦରଙ୍କୁ ଅଲ୍ରାଉଣ୍ଡର ଭାବେ ସ୍ଥାନ ମିଳିବା ନେଇ ଆଶା କରାଯାଉଛି ।

