(ମୁମ୍ବାଇ) : ଅଭିନେତ୍ରୀ କାଟ୍ରିନା କୈଫ୍ ସାର୍ବଜନୀନ ନଜରରୁ କୁଆଡ଼େ ଉଭାନ ହୋଇଯାଇଛନ୍ତି। ଶେଷ ଥର ପାଇଁ କୋଲକାତାଠାରେ ଏକ ଉତ୍ପାଦର ପ୍ରଚାର କରିବା ବେଳେ ସେ ପ୍ରଶଂସକମାନଙ୍କ ଦୃଷ୍ଟିରେ ପଡ଼ିଥିଲେ। ମହୋତ୍ସବ ସମୟରେ କାଟ୍ରିନା ସଂପୂର୍ଣ୍ଣ ଅନୁପସ୍ଥିତ ରହିବା ପ୍ରଶଂସକ ତଥା ସମର୍ଥକମାନଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା। ତାହାକୁ କେନ୍ଦ୍ର କରି ନାନା ଗୁଜବ ମଧ୍ୟ ପ୍ରଚାର ହେବାରେ ଲାଗିଥିଲା। ସେ ଗର୍ଭବତୀ ଥିବା କାରଣରୁ ଲୋକଲୋଚନରୁ ଆସୁ ନାହାନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ତେବେ ତାଙ୍କ ଅନୁପସ୍ଥିତିର କାରଣ ତାହା ନୁହେଁ, ବୋଲି ବିଶେଷ ସୂତ୍ରରୁ ସ୍ପଷ୍ଟ ହୋଇଛି।
ସୂଚନାନୁଯାୟୀ , ପ୍ରକୃତରେ ସେ କାର୍ଯ୍ୟବ୍ୟସ୍ତତା ପାଇଁ ଭିନ୍ନ ଭିନ୍ନ ସହରକୁ ଗସ୍ତ କରିବା ଯୋଗୁଁ ତାଙ୍କୁ ଅନ୍ୟମାନେ ଦେଖିପାରିନାହାନ୍ତି ବୋଲି କୁହାଯାଉଛି। ପନ୍ଦର ଦିନ ତଳେ ମୁମ୍ବାଇରେ ଏକ ବ୍ୟାବସାୟିକ ବିଜ୍ଞାପନ ସୁଟିଂରେ ସେ ବ୍ୟସ୍ତ ଥିଲେ। ଗଣପତି ଉତ୍ସବ ଆରମ୍ଭ ହେବାର ତିନି ଚାରି ଦିନ ପୂର୍ବରୁ ସେ ମୁମ୍ବାଇ ବାହାରକୁ ଚାଲିଯାଇଥିଲେ। ଆଗାମୀ ହିନ୍ଦୀ ସିନେମା ‘ଏକ୍ ଥା ଟାଇଗର’ର ତୃତୀୟ ସଂସ୍କରଣରେ ଦେଖିବାକୁ ମିଳିବ। ସେହିପରି ସେ ଏବେ ‘ମେରି ଖ୍ରୀଷ୍ଟମାସ’ ସିନେମାର ସୁଟିଂରେ ବ୍ୟସ୍ତ ରହିଛନ୍ତି।