(ଭୁବନେଶ୍ୱର) : ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ମାସର ଶେଷ ଦିନରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଓଡିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଡଙ୍ଗା ଭସାଯାଇଛି । ଏ ନେଇ ଭୋରରୁ ଜଳାଶୟରେ ଭିଡ଼ ଦେଖିବାକୁ ମିଳିଛି । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି ।
ସୂଚନାନୁଯାୟୀ , ଏହି ପରମ୍ପରା ତଥା ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇଥାଏ । ଅନ୍ୟପକ୍ଷେ ଏହି ମାସର ବିଶେଷତା ହେଉଛି ଆକାଶଦୀପ ପ୍ରତିଷ୍ଠା । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଓ ସେମାନଙ୍କ ଅନ୍ଧାକାରମୟ ଦୁର୍ଗମ ପଥକୁ ଆଲୋକିତ କରିବା ପାଇଁ ଉଚ୍ଚ ସ୍ଥାନରେ ଏକ ପ୍ରଦୀପ ପ୍ରଜ୍ଜଳନ କରାଯାଏ ।
