(ଭୁବନେଶ୍ୱର) : ଆଜିଠୁ ଆରମ୍ଭ ହୋଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପାହାଡର ପାଦଦେଶରୁ ଉପର ଯାଏଁ ପରିମଳ, ସଫେଇ, ସୌର୍ନ୍ଦ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ସାଧୁସନ୍ଥଙ୍କ ଆଗମନ ସହ ତପୋଭୂମି ଖଣ୍ଡଗିରିରେ ଜନସମାଗମ ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସିସିଟିଭି ଓ ପାର୍କିଂ ଉପରେ ଗୁରୁତ୍ୱ ଦିଆଯାଇଛି । ୯ ଦିନ ଧରି ସାଧୁସନ୍ତଙ୍କ ମନ୍ତ୍ରୋଚାରଣ ସାଙ୍ଗକୁ ପୂଜାପାଠରେ ମୁଖରିତ ହେବ ଖଣ୍ଡଗିରି ପାଦଦେଶ । ଚଳିତ ବର୍ଷ କିଭଳି ସୁରୁଖୁରରେ ମେଳା ହୋଇପାରିବ ସେନେଇ ବିଭିନ୍ନ ଦିଗରେ ଆଲୋଚନା ହୋଇଥିବା ବେଳେ ପୂର୍ବ ବର୍ଷ ଅପେକ୍ଷା ଏଥର ଆହୁରି ସୁନ୍ଦର କରିବାକୁ ଯୋଜନା କରାଯାଉଥିବା କହିଛି ବିଏମସି କମିଶନର । ସାଧୁ ସନ୍ଥ ମାନଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା, ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ଵ ଦିଆଯାଇଥିବା କହିଛି ବିଏମସି । ଯେଉଁ ବ୍ୟବସାୟୀମାନେ ଆସୁଛନ୍ତି ସେମାନଙ୍କ ପାଇଁ ସମାନ ମାପରେ ଷ୍ଟଲ୍ ରହିବ । ସଂପୂର୍ଣ୍ଣ ପ୍ଲାଷ୍ଟିକ ବର୍ଜନ ପାଇଁ ପଦକ୍ଷେପ ନିଆଯିବ ।