Accidentbharat

ବର୍ଷେ ପୂର୍ବେ ୱାୟନାଡ ବିପର୍ଯ୍ୟୟର ପୂର୍ବାନୁମାନ କରିଥିଲେ ଛାତ୍ରୀ, ସତ ହେଲା ଭବିଷ୍ୟବାଣୀ

ୱାୟନାଡ : ସତ ହେଲା ଛାତ୍ରୀଙ୍କ ଭବିଷ୍ୟବାଣୀ । କେରଳର ୱାୟନାଡ ଜିଲ୍ଲାରେ ଘଟିଥିବା ଭୟଙ୍କର ଭୂସ୍ଖଳନକୁ ନେଇ ଜଣେ ଛାତ୍ରୀ ଏକ ବର୍ଷ ପୂର୍ବରୁ ପୂର୍ବାନୁମାନ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଛାତ୍ରୀ ଜଣକ ଭବିଷ୍ୟବାଣୀ କରିଥିଲେ, ଯଦି ରାଜ୍ୟରେ ବର୍ଷା ହୁଏ, ତେବେ ଭୂସ୍ଖଳନ ଯୋଗୁଁ ଏକ ବଡ଼ ବିପର୍ଯ୍ୟୟ ଘଟିବ, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇବେ । ଅଷ୍ଟମ ଶ୍ରେଣୀର ଛାତ୍ରୀ ବର୍ଷେ ତଳେ କଳ୍ପନା କରି ଯେଉଁ ପ୍ରଳୟର କାହାଣୀ ଲେଖିଥିଲେ, ତାହା ଏବେ ସତ ହୋଇଛି ବୋଲି ଚର୍ଚ୍ଚା ହେଉଛି।

ଅଷ୍ଟମ ଶ୍ରେଣୀର ଛାତ୍ରୀ ଲାୟା ଏଏସ୍ ଗତ ବର୍ଷ ବିଦ୍ୟାଳୟର ଡିଜିଟାଲ ପତ୍ରିକା ପାଇଁ ଏକ କାହାଣୀ ଲେଖିଥିଲେ, ଯାହା ସୋମବାର (୨୯ ଜୁଲାଇ) ସକାଳେ ଅପଲୋଡ୍ ହୋଇଥିଲା। ଏହି କାହାଣୀର ଶୀର୍ଷକ ଥିଲା, ‘ଆଗ୍ରହାନ୍ତିତେ ଦୁରାନୁଭବମ୍’ । ଏଥିରେ ଲାୟା ଦୁଇ ଝିଅଙ୍କ କାହାଣୀ ବର୍ଣ୍ଣନା କରିଥିଲେ।

ଆଲାମକ୍ରୁଥା ଓ ଅନାସ୍ୱରା ଦୁଇ ଝିଅ କାହାଣୀର ଚରିତ୍ର। କାହାଣୀ ଅନୁସାରେ,ଆଲାମକ୍ରୁଥା ଓ ଅନାସ୍ୱରା ବାପାମାଆଙ୍କୁ ନ ଜଣାଇ ଏକ ଜଳପ୍ରପାତ ବୁଲିବାକୁ ଯାଇଥାନ୍ତି। ଏହି ସମୟରେ ଏକ ପକ୍ଷୀ ସେମାନଙ୍କୁ ଏଠାରୁ ତୁରନ୍ତ ପଳାଇଯିବାକୁ କୁହେ। ବଡ଼ ବିପର୍ଯ୍ୟୟ ଆସୁଛି, ଏଠାରୁ ଚାଲିଯାଅ ବୋଲି ପକ୍ଷୀଟି କହିବା ପରେ ଆଲାମକ୍ରୁଥା ଓ ଅନାସ୍ୱରା ସେଠାରୁ ଚାଲି ଆସୁଥିଲେ । ଆଉ ଏହାର କିଛି ସମୟ ପରେ ବନ୍ୟା ପାଣି ସମଗ୍ର ଅଞ୍ଚଳରେ ମାଡ଼ି ଯାଉଥିବା ଦେଖନ୍ତି। ଲାୟାଙ୍କ ଏହି କାହାଣୀ ଡିଜିଟାଲରେ ଅପଲୋଡ ହେବାର ୨୪ ଘଣ୍ଟା ପରେ ସତକୁ ସତ ୱାୟନାଡରେ ପ୍ରଳୟ ରଚିଛି ପ୍ରକୃତି। ପ୍ରବଳ ବର୍ଷା ଓ ଭୂସ୍ଖଳନରେ ଧୋଇ ଯାଇଛି ପାଞ୍ଚ ଖଣ୍ଡ ଗାଁ।

ଭୂସ୍ଖଳନରେ ଲାୟାଙ୍କ ବାପାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ପରିବାରକୁ ବଞ୍ଚାଇବାକୁ ଯାଇ ତାଙ୍କ ବାପାଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି। ଲାୟାଙ୍କ ସ୍କୁଲର ୪୩ ଜଣ ଛାତ୍ରଛାତ୍ରୀ ମଧ୍ୟ ଆଖି ବୁଜିଛନ୍ତି। ଏଥିସହ ତାଙ୍କ ସ୍କୁଲ୍ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇ ଯାଇଛି। କିନ୍ତୁ ସୌଭାଗ୍ୟବଶତଃ ଲାୟାଙ୍କ ଜୀବନ ବଞ୍ଚି ଯାଇଛି।

Related posts

ଏବେ ନା ଲେଖି ପାରିବେ ନା କମେଣ୍ଟ କରି ପାରିବେ କେବଳ ରିଲ୍ ଦେଖିପାରିବେ ସେନା

mahabharatanews

ବାଇକରେ ଯିବା ବେଳେ ଚାପିଦେଲା ଟ୍ରକ୍‌, ୩ ମୃତ

mahabharatanews

ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ ଅଭିଯୋଗ

mahabharatanews