ଭୁବନେଶ୍ୱର: କରୋନା କାଳରେ ଆସୁଛି ମହାଶିବରାତ୍ରୀ । ଚଳିତବର୍ଷ କୋଭିଡ୍ ଗାଇଡ୍ଲାଇନ୍ ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀ ଜାଗର ଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ଲିଙ୍ଗରାଜ ମନ୍ଦିର ୩ ନିଯୋଗ, ଈଗଉ କର୍ତ୍ତୃପକ୍ଷ, ଲିଙ୍ଗରାଜ ମନ୍ଦିର ନିର୍ଦ୍ଦେଶକ ଉପସ୍ଥିତ ରହିଥିଲେ।
ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ୬୦ରୁ ଊଦ୍ଧ୍ୱର୍ ବୟସ୍କ ଓ ୧୦ ବର୍ଷରୁ କମ ଶିଶୁଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି । ମନ୍ଦିର ଭିତରେ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କର ସ୍କ୍ରିନିଂ କରାଯିବ। କୌଣସି ଭକ୍ତଙ୍କଠାରେ କିଛି ବି କୋଭିଡ ଲକ୍ଷଣ ମିଳିଲେ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ଓ ତାଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବ । ଭକ୍ତମାନେ ମନ୍ଦିର ଭିତରକୁ ଗଲେ ମଧ୍ୟ ଗର୍ଭ ଗୃହକୁ ଯାଇପାରିବେ ନାହିଁ । ବାରିକେଡ ଦେଇ ଦର୍ଶନ କରିବାକୁ ହେବ ଓ ଆଡକାଠ ନିକଟରୁ ଠାକୁରଙ୍କ ଦର୍ଶନ କରିବେ । ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ପାଇଁ ଛାୟୀ ଓ ପିଇବା ପାଣିର ବ୍ୟବସ୍ଥା କରାଯିବ।