ବର୍ଲିନ: ମହାମାରୀ କରୋନା ଉପରେ ନିୟନ୍ତ୍ରଣ ପାଇବାକୁ ଜର୍ମାନୀରେ ଲାଗୁ ହୋଇଥିଲା କଠୋର ଲକଡାଉନ । ବର୍ତ୍ତମାନ ସେଠାର ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଏହି ନିୟମକୁ କୋହଳ କରିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ସପ୍ତାହଠାରୁ କିଛି ସ୍ଥାନରେ ନିୟମ କୋହଳ କରାଯିବ ବୋଲି ଜର୍ମାନୀ •ନସେଲର ସୂଚନା ଦେଇଛନ୍ତି । ଜର୍ମାନୀର କରୋନା ସ୍ଥିତି ଉପରେ ଦେଶର ୧୬ଟି ଫେଡରାଲ ଷ୍ଟେଟ୍ସର ନେତାଙ୍କ ସହ ଆଲୋଚନା କରିବା ପରେ ସେ କହିଛନ୍ତି, ୮୦୦ ସ୍କୋୟେର ମିଟର ଯାଏ ଦୋକାନ ଓ ବଜାରଗୁଡ଼ିକୁ ଖୋଲାଯିବ । ଦୋକାନ ଖୋଲା ଗଲେ ମଧ୍ୟ ସବୁଠାରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦିଆଯିବ ।
ସେହିପରି ଲୋକମାନେ କିଣାକିଣି କରିବାକୁ ବାହାରକୁ ବାହିବା ବେଳେ କିମ୍ବା ସାଧାରଣ ପରିବହନ ବ୍ୟବହାର କରିବା ବେଳେ ମାସ୍କ ପରିଧାନ କରିବାକୁ ବାଧ୍ୟ ହେବେ । ମେ’ ୩ ତାରିଖ ଯାଏ ସବୁଆଡ଼େ ପୂର୍ବଭଳି ସାମାଜିକ ଦୂରତ୍ୱ ନିୟମ ଲାଗୁ ହେବ । ମେ’ ୩ ପରେ ସ୍କୁଲଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟରେ ଖୋଲାଯିବା । ଶିକ୍ଷାର୍ଥୀମାନେ କେମିତି ସୁରୁଖୁରୁରେ ପରୀକ୍ଷା ଦେଇପାରିବେ, ତା’କୁ ହିଁ ଗୁରୁତ୍ୱ ଦିଆଯିବ । ଅନ୍ୟପକ୍ଷରେ କଟକଣା କୋହଳ କରାଯାଉଥିଲେ ହେଁ ଅଗଷ୍ଟ ୩୧ ଯାଏ ଦେଶରେ ବଡ଼ ଧରଣର କୌଣସି ଜନସମାବେଶ ବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଆଞ୍ଜେଲା ମାର୍କେଲ ଘୋଷଣା କରିଛନ୍ତି । ସେହିପରି ଅନିର୍ଦ୍ଦିଷ୍ଟ କାଳ ଯାଏ ରେଷ୍ଟୁରାଣ୍ଟ, ବାର, ଜିମକୁ ବନ୍ଦ ରଖିବାକୁ କୁହାଯାଇଛି । ଦେଶରେ ଅଗଷ୍ଟ ୩୧ ଯାଏ କୌଣସି ପ୍ରକାରର କ୍ରୀଡ଼ା, ଉତ୍ସବ ଓ ସମାବେଶ ହେବନାହିଁ ।
ସୂଚନାଯୋଗ୍ୟ, ଜର୍ମାନୀରେ କରୋନା ଯୋଗୁ ୩ ହଜାର ୫୯୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧,୩୨, ୭୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଜର୍ମାନୀରେ ଶଟଡାଉନ ଯୋଗୁ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି । ଏହାକୁ ସୁଧାରିବା ପାଇଁ ସରକାର କଟକଣା କୋହଳ କରିବାକୁ ନିଷ୍ପତ୍ତି ହୋଇଛି ।
