(ଭୁବନେଶ୍ୱର) : ସ୍ୱଚ୍ଛତା ଭିତ୍ତିରେ ହେବ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା । ପରୀକ୍ଷାରେ କିପରି ସ୍ୱଚ୍ଛତା ରହିବ ସେ ନେଇ ଶିକ୍ଷା ବିଭାଗ ତରଫରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ହୋଇ ଯାଇଛି । ଏହି ବୈଠକରେ କିଛି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି । ଯାହା ଦ୍ଵାରା ପରୀକ୍ଷା ସ୍ୱଚ୍ଛତା ଭିତ୍ତିରେ ରହିବ । ଶିକ୍ଷାକୁ ସର୍ବଦା ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ପଦବୀ ବାହାର କରିଛନ୍ତି । ଆଉ ସେଥିପାଇ ଚଳିତ ନଭେମ୍ବର ୩ରୁ ପରୀକ୍ଷା ଆରମ୍ଭ ହେବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ୍ଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ସୂଚନାନୁଯାୟୀ , ୨୦ ହଜାର କନିଷ୍ଠ ଶିକ୍ଷକ(ସ୍କମାଟିକ)ମାନଙ୍କର ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ୩୦ଟି ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରମାନଙ୍କରେ ସି.ବି.ଟି.(C.B.T) ପରୀକ୍ଷା ଚଳିତ ନଭେମ୍ବର ମାସ ୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ମୋଟ ୭ ଦିନ ହେବ । ଜିଲ୍ଲାସ୍ତରର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିର ସଠିକ୍ ବିବରଣୀ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।