ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ-୧୯ରେ ଆକ୍ରାନ୍ତ ହେବାରେ ଲାଗିଛି । ବିଶ୍ୱର ସର୍ବ ଶକ୍ତିଶାଳୀ ବୋଲାଉଥିବା ଆମେରିକାରେ ଏଯାବତ ୧୨,୮୫୭ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। କରୋନାର ମୃତ୍ୟୁ ତାଣ୍ଡବ ଆଗରେ ଆମେରିକା ବିବଶ ହୋଇ ପଡିଛି । ଏପରି ସମୟରେ ଭାରତ ଆମେରିକାକୁ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଦେବାକୁ ନିଷ୍ପତି କରିଛି । ଭାରତ ସରକାରଙ୍କ ପକ୍ଷରୁ ଏନେଇ ବିବୃତ୍ତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୋଦି । ମହାନ ଏବଂ ଜଣେ ଭଲ ନେତା ବୋଲି ଡୋଲାଲ୍ଡ ଟ୍ରମ୍ପ କହିଛନ୍ତି।
ଏହାକୁ ନିୟନ୍ତ୍ରଣରେ ଆଣିବା ପାଇଁ ଆଣ୍ଟି ମାଲେରିଆ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଉପରେ ଗୁରୁତ୍ୱ ଦେଇଛି ଆମେରିକା। ଏହି ଔଷଧ ଭାରତରେ ପ୍ରସ୍ତୁତ ହୁଏ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ନିକଟରେ ଭାରତ ସରକାର ଏହି ଔଷଧ ରପ୍ତାନୀ ଉପରେ ରୋକ୍ ଲଗାଇଥିଲେ । କିନ୍ତୁ ଶନିବାର ମୋଦି ଏବଂ ଟ୍ରମ୍ପ ଟେଲିଫୋନିକ ଆଲୋଚନା କାଳରେ ଟ୍ରମ୍ପ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ କରିବାକୁ ମୋଦିଙ୍କୁ ଅନୁରୋଧ କରିଥିଲେ । ଯଦିଓ ଏହି ଔଷଧ କରୋନାର ପ୍ରତିଷେଧକ କିମ୍ୱା ଔଷଧ ନୁହେଁ ହେଲେ କିଛି ଆକ୍ରାନ୍ତ ଏହି ଔଷଧରେ ସୁସ୍ଥ ହେଉଛନ୍ତି। ଆମେରିକାର ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଟ୍ରମ୍ପଙ୍କୁ ପରାମର୍ଶ ଦେବା ପରେ ସେ ଭାରତକୁ ଏହି ଔଷଧ ମାଗିଥିଲେ। ଆମେରିକା ୨୯,୦୦୦,୦୦୦ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଡୋଜ୍ ଔଷଧ ମାଗିଛି। ଏହି ଔଷଧକୁ ଟ୍ରମ୍ପ ନିଜେ ଖାଇବେ ବୋଲି ମଧ୍ୟ କହିଥିଲେ।
ତେବେ ଏହା ପୂର୍ବରୁ ଟ୍ରମ୍ପ ମୋଦିଙ୍କୁ ଚେତାବନୀ ଦେଇ କହିଥିଲେ, ଭାରତ ଯଦି ଏଭଳି ସ୍ଥିତିରେ ଏହି ଔଷଧ ନଦିଏ ତେବେ ଆଗାମୀ ଦିନରେ ଭାରତ ମଧ୍ୟ ସମାନ ପ୍ରତିକ୍ରିୟାର ସମ୍ମୁଖୀନ ହେବ ।
