(ଜ୍ୟୋତିରଂଜନ ଧର/ କଣିହାଁ) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଧିନସ୍ଥ ବାରୁଆଁ ପାହାଡ ନିକଟରେ ପ୍ରସ୍ତାବିତ ବିମଳାଗଡ ରେଳପଥର ଟନେଲ୍ କାର୍ଯ୍ୟ ପ୍ରାୟ ଏକବର୍ଷ ଧରି ଚାଲିଛି । ରାୟପୁରର ମୋସ୍ଭର୍ୟା ନାମକ ଏକ ଠିକାସଂସ୍ଥା ଉକ୍ତ ଟନେଲ୍ କାମ ଯାରୀ ରଖିଛି । ଏହି ଠିକାସଂସ୍ଥାରେ କୁଶଳୀ, ଅର୍ଦ୍ଧକୁଶଳୀ, ଅଣକୁଶଳୀ, ସିକ୍ୟୁଟିଗାର୍ଡ ଆଦିକାମରେ ୯୦ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଜଣେ ମଧ୍ୟ ଅଣକୁଶଳୀ ଯୁବକକୁ କାମ ପାଇଁ ସୂଯୋଗ ମିଳୁନାହିଁ । ଫଳରେ ସ୍ଥାନୀୟ ବେକାରୀ ଯୁବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ରାଜ୍ୟ ଶିଳ୍ପ ବିଭାଗର ସୁପାରିଶ୍ କ୍ରମେ ଓଡିଶା ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସେହି ଅଂଚଳର ସ୍ଥାନୀୟ ବେକାର ଯୁବକ ମାନଙ୍କୁ ୯୦ ପ୍ରତିଶତ ନିଯୁକ୍ତି ଦେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏପରିକି ଠିକାସଂସ୍ଥାରେ ୬୦ ପ୍ରତିଶତ କୁଶଳୀ,୩୦ ପ୍ରତିଶତ ଅର୍ଦ୍ଧକୁଶଳୀ ଓ ୧୦ ପ୍ରତିଶତ ଖୋଲା ବଜାରରୁ ସାକ୍ଷାତକାର ଭାବରେ ନିଯୁକ୍ତି ଦେବାକୁ ଷ୍ପଷ୍ଟ କରାଯାଇଛି । ବିନା ସାକ୍ଷାତକାରରେ ଏହି ଠିକାସଂସ୍ଥା ବାହାର ରାଜ୍ୟରୁ ଶ୍ରମିକ ଆଣି କାର୍ଯ୍ୟ କରୁଥିଲା ବେଳେ ସ୍ଥାନୀୟ ଯୁବକ ମାନଙ୍କୁ ଜାଣିଶୁଣି ଉପେକ୍ଷା କରୁଛି । ପ୍ରତିମାସରେ ଠିକାସଂସ୍ଥା ପକ୍ଷରୁ କେତେ ଜଣ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତ କରାଯାଇଛି ତାର ଏକ ଚିଠା ସଂପୃକ୍ତ ସଂସ୍ଥା ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ ଓ ରେଳ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ମଧ୍ୟ ରହିଛି । ଯଦି ଏଥିରେ ବ୍ୟତିକ୍ରମ ହୁଏ ତାହାହେଲେ ଜିଲ୍ଲାପ୍ରଶାସନ ସଂପୃକ୍ତ ସଂସ୍ଥା ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ନ୍ଦେଶ ନାମାରେ ଉଲ୍ଲେଖ ରହିଛି । ଏତେ ସବୁ ନୀୟମ ଥାଇ ମଧ୍ୟ ସ୍ଥାନୀୟ ଯୁବକଙ୍କୁ କାମରେ ସୂଯୋଗ ନଦେଇ ଠିକାସଂସ୍ଥା ମନମାନୀ ଚଲାଇଥିବା ଜଣାଯାଇଛି । ଏନେଇ ଢେଙ୍କାନାଳ ଲୋକସଭା ସାସଂଦ ମହେଶ ସାହୁଙ୍କ ମତାମତ ଲୋଡିବାରୁ କୁହନ୍ତି ଯେ, ସଂପୃକ୍ତ ଠିକାସଂସ୍ଥା ଏହି ନିୟମକୁ ପାଳନ କରିବାକୁ ବାଧ୍ୟ ଅଟେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନୀତିକୁ ଅବମାନନା ନକରି ଅତିକମରେ ଚପରାସି, ଡ୍ରାଇଭର, ସୁରକ୍ଷାକର୍ମୀ, ମାଟିଖୋଳା ଶ୍ରମିକ ଯଦି ଠିକାସଂସ୍ଥା ନ କରିଥାଏ ତାହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାର ଗମ୍ଭିରତାକୁ ବିଚାର କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ।