ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଗଣମାଧ୍ୟମ ପ୍ରତିନିଧିଙ୍କ ହତ୍ୟା ଘଟଣା ଥମୁନାହିଁ । ପୁଣି ଜଣେ ଜଣେ ସାମ୍ବାଦିକ ଓ ତାଙ୍କ ପତ୍ନୀଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଟିଛି । ସୋନଭଦ୍ରାରେ ଏହି ଜଘନ୍ୟ କାଣ୍ଡ ସଂଗଠିତ ହୋଇଛି । ମୃତ ସାମ୍ବାଦିକଙ୍କ ନାମ ଉଦୟ ପାଶ୍ୱାନ ଓ ପତ୍ନୀଙ୍କ ନାମ ଶୀତଳା ପାଶ୍ୱାନ। ପୁଲିସ ୫ ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ତଥା ସ୍ଥାନୀୟ ପୂର୍ବତନ ଗ୍ରାମ ମୁଖିଆ କେବଳ ପାଶ୍ୱାନ ଫେରାର ଅଛି। ରାଜ୍ୟ ସରକାର କର୍ତ୍ତବ୍ୟରେ ଅବହେଳା ପାଇଁ ୩ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି।
ଦୈନିକ ହିନ୍ଦୀ ଖବରକାଗଜ ‘ନ୍ୟାସନାଲ ହେରାଲ୍ଡ’ର ସ୍ଥାନୀୟ ପ୍ରତିନିଧି ଥିଲେ ଉଦୟ । ସୋମବାର ପତି-ପତ୍ନୀ କୋନେ ଥାନାରେ ସୁରକ୍ଷା ପାଇଁ ଆବେଦନ କରି ଫେରୁଥିବାବେଳେ ବାଟରେ ସଂଗବଦ୍ଧଭାବେ ଠେଙ୍ଗା ଓ ଲୁହା ଛଡ଼ରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଘଟଣା ସ୍ଥଳରେ ଉଦୟଙ୍କ ମୃତ୍ୟୁ ଘଟିଥିବାବେଳେ ଶୀତଳାଙ୍କର ମଙ୍ଗଳବାର ବାରାଣସୀର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଉଦୟଙ୍କର ସମ୍ପୃକ୍ତ ପୂର୍ବତନ ମୁଖିଆଙ୍କ ସହିତ ପୂର୍ବରୁ ବିବାଦ ରହିଥିବା ବେଳେ ହତ୍ୟାକାଣ୍ଡ ପରେ ପୂର୍ବତନ ମୁଖିଆ ଫେରାର ହୋଇଯାଇଛି ।
ଉଦୟ କାନେ ଥାନାରେ ସୁରକ୍ଷା ପାଇଁ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ସୁରକ୍ଷା ଯୋଗାଇ ଦେଇନଥିବା ନେଇ ମଧ୍ୟ ସେ ମୃତ୍ୟୁ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାରରେ ମଧ୍ୟ ଆପତ୍ତି ଜଣାଇଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଛି । ସେଥିପାଇଁ କୋନେ ଥାନା ଇନ୍ସପେକ୍ଟରଙ୍କ ସହ ଜଣେ ସବ୍-ଇନ୍ସପେକ୍ଟର ଓ ଜଣେ କନ୍ଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା କହିଛନ୍ତି ସୋନଭଦ୍ରା ଏସ୍ପି ଆଶିଷ ଶ୍ରୀବାସ୍ତବ। ଉଦୟଙ୍କ ପୁଅ ବିନୟଙ୍କ ଏତଲା ଆଧାରରେ ପୁଲିସ ତଦନ୍ତ ଚଳାଇଛି। ମୁଖିଆ କେବଲଙ୍କୁ ବାଦ୍ ଦେଲେ ତାଙ୍କ ପତ୍ନୀ କୌଶଲ୍ୟା, ପୁଅ ଜିତେନ୍ଦ୍ର, ସହଯୋଗୀ ଗବର, ସିକନ୍ଦର ଓ ଏକଲାକ ଆଲାମଙ୍କୁ ପୁଲିସ ଗିରଫ କରିଛି।
By SR