(ମହାଭାରତ/ପୁରୀ): ଚଳିତବର୍ଷ ବିନା ଭକ୍ତରେ ରଥଟଣା ପରେ ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ତିନି ଠାକୁରଙ୍କ ଅଧରପଣା ନୀତି । ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ନଅ ଦିନର ଯାତ୍ରା ପରେ ଆଜି ରତ୍ନବେଦୀରେ ବିରାଜମାନ କରିବେ ତିନି ଠାକୁର । ଏହା ସହିତ ଶେଷ ହେବ ଏବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରା । ରବିବାର ଠାରୁ ଭକ୍ତ ପାଇବେ ନୀଳାଚଳ ଅବଢା । କିନ୍ତୁ ଶ୍ରଦ୍ଧାଳୁଙ୍କୁ ମିଳିବନି ଦର୍ଶନ ସୁଯୋଗ । ମହାମାରୀ କରୋନା ପାଇଁ ବିନା ଭକ୍ତରେ ଏବର୍ଷ ସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡା, ସୁନାବେଶ ଓ ଅଧରପଣା ଆଦି ପର୍ବ ସମ୍ପନ୍ନ ହୋଇଛି । ସେହିଭଳି ନୀଳାଦ୍ରୀ ବିଜେ ମଧ୍ୟ ଭକ୍ତ ଶୂନ୍ୟ ରହିବ । ଆଜି ମହାପ୍ରଭୁଙ୍କ ନୀଳାଦ୍ରୀ ବିଜେ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍ୱିତ କରି ଅପରାହ୍ନ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ ବୋଲି ସ୍ଥିର ହୋଇଛି । ଅପରାହ୍ନ ୪ଟାରେ ଶ୍ରୀଜିଉଙ୍କ ନୀଳାଦ୍ରୀ ବିଜେ ପହଣ୍ଡି ଆରମ୍ଭ ହେବ । ରଥ ଉପରେ ଠାକୁରଙ୍କ ସନ୍ଧ୍ୟା ଆଳତି ପରେ ଚାରମାଲ ବନ୍ଧାଯିବ । ପାଳିଆ ସେବକ ସିଂହାସନ ମାଜଣା କରିବେ । ଏହାପରେ ପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଆରମ୍ଭ ହେବ ନୀଳାଦ୍ରୀ ବିଜେ । ଅପରାହ୍ନ ୪ଟାରେ ଶ୍ରୀଜିଉଙ୍କ ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହେବ । ଚାରମାଳ ଫିଟାଯିବା ପରେ ତିନି ଠାକୁର ରତ୍ନ ସିହାଂସନକୁ ବିଜେ କରିବେ ।
previous post
next post
