ପୁରୀ: ଏନଏସଜି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ କରିଛି । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ବିଭିନ୍ନ ସ୍ଥାନର ଚିତ୍ର ଉତ୍ତୋଳନ କରାଯାଇଛି । ଏହି ଚିତ୍ରକୁ ଏନଏସଜିର ୩ ଜଣିଆ ଟିମ୍ ଯାଞ୍ଚ କରିବା ସହ ସୁରକ୍ଷାର ଅନୁଧ୍ୟାନ କରିବ। ଏଥିସହ ଶ୍ରୀମନ୍ଦିରର ଐତିହ୍ୟ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ପ୍ରଶାସନ ସହ ମଧ୍ୟ ଏନଏସଜ ଟିମ୍ ଆଲୋଚନା କରିଛି ।
ଗୁରୁବାର ଭୋର ସମୟରୁ ଏନଏସଜି ଟିମ୍ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ଏହାସହ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସ୍ବତନ୍ତ୍ର ନକ୍ସାକୁ ତଦାରଖ କରିଛନ୍ତି । ବୁଧବାର ମଧ୍ୟ ଏନଏସଜିର ଏହି ଟିମ୍ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲା । ନୂଆ କରି ନିର୍ମାଣ ହୋଇଥିବା ଶ୍ରୀମନ୍ଦିର ବ୍ୟାରିକେଡ୍, ସାମିଆନା ଓ ସିଂହଦ୍ବାରରେ ଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲା ଟିମ। ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ସୁରକ୍ଷା କଟକଣାର ମଧ୍ୟ ତଥ୍ୟ ସଂଗ୍ରହ କରିଥିବା ସୂଚନା ରହିଛି ।