(ଭୁବନେଶ୍ୱର) : ରାଜ୍ୟ ବିଧାନସଭା ବାଚସ୍ପତି ନିର୍ବାଚନକୁ ବର୍ଜନ କରିଛି କଂଗ୍ରେସ । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବାଚସ୍ପତି ନିର୍ବାଚନରେ କୌଣସି କଂଗ୍ରେସ ବିଧାୟକ ସାମିଲ ହେବେ ନାହିଁ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ , ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଏହା ପର ଦିନ ସେପ୍ଟେମ୍ବର ୨୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ବାଚସ୍ପତି ନିର୍ବାଚନ ପାଇଁ ସେପ୍ଟେମ୍ବର ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ତେବେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ପର୍ବ ‘ନୂଆଁଖାଇ’ ପାଳନ ହେବ । ସେହିପରି ସେପ୍ଟେମ୍ବର ୨୧ ତାରିଖରେ ‘ନୂଆଖାଇ ଭେଟଘାଟ’ ଅନୁଷ୍ଠିତ ହେବ ବୋଲି ପ୍ରଦେଶ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ବିବୃତିରେ କହିଛନ୍ତି । କଂଗ୍ରେସ ବିଧାୟକମାନେ ନିଜ ନିଜ ସ୍ଥାନରେ ଉପସ୍ଥିତ ରହି ନୂଆଁଖାଇ ଉତ୍ସବ ପାଳନ କରିବେ ଏବଂ ବାଚସ୍ପତି ନିର୍ବାଚନରେ ଭାଗ ନେଇପାରିବେ ନାହିଁ ବୋଲି ସେ କହିଛନ୍ତି ।
