ଦିଲ୍ଲୀ : ପୁଣି ଖାଉଟିଙ୍କ ପାକେଟ ଉପରେ ବୋଝ । ଖୁବଶୀଘ୍ର ଭାରତରେ ବୃଦ୍ଧିହେବାକୁ ଯାଉଛି ଖାଇବା ତେଲର ଦର । ବିଶ୍ୱର ଟପ୍ ପାମ୍ ଅଏଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଘରୋଇ ଅଭାବକୁ ପୂରଣ କରିବା ପାଇଁ ତୈଳ ରପ୍ତାନୀ ଉପରେ ବ୍ୟାନ୍ ଲଗାଇବାକୁ ଯାଉଛି । ଅଶୋଧିତ ତୈଳ ଓ ଖାଇବା ତେଲ ଉପରେ ମୁଖ୍ୟତଃ କଟକଣା ଲାଗୁ ହେବ । ବର୍ତ୍ତମାନ ସୋରିଷ ତେଲର ମୂଲ୍ୟ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ସୂର୍ଯ୍ୟମୁଖୀ ତେଲ ମଧ୍ୟ ମହଙ୍ଗା ହୋଇଛି ।
ହେଲେ ଏହାରି ଭିତରେ ସାଧାରଣ ଜନତାଙ୍କ ମୁଣ୍ଡରେ ପୁଣି ଚଡ଼କ ପଡ଼ିଯିବ । ବିଶ୍ୱର ୭୬ ପ୍ରତିଶତ ସୂର୍ଯ୍ୟମୁଖୀ ତୈଳ ରପ୍ତାନୀ ବ୍ଲାକ ସାଗର ଦେଇ କରାଯାଇଥାଏ । ମାତ୍ର ରୁଷ୍ ଉକ୍ତ ରାସ୍ତାକୁ ଅବରୋଧ କରିବା ଫଳରେ ବିଶ୍ୱରେ ସୂର୍ଯ୍ୟମୁଖୀ ତେଲର ଅଭାବ ଦେଖାଦେଇଛି । ଇଣ୍ଡୋନେସିଆ ବିଶ୍ୱର ଏକ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହୋଇଥିବାରୁ ଏହି ନିଷ୍ପତ୍ତି ଦ୍ୱାରା ଭାରତ ବିଶେଷ ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।
ଖାଇବା ତେଲ ଓ ଅଶୋଧିତ ସାମଗ୍ରୀ ରପ୍ତାନୀ ଉପରେ ବ୍ୟାନ ଘୋଷଣା କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକେ ୱିଡୋଡୋ । ଏହା ପୂର୍ବରୁ ଦେଶରେ ଖାଦ୍ୟ ସାମଗ୍ରୀର ମହଙ୍ଗାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆସନ୍ତା ୨୮ ତାରିଖଠାରୁ ଏହି କଟକଣା ଲାଗୁ ହେବ । ଅନ୍ୟପକ୍ଷରେ ଭାରତ ବିଶ୍ୱର ଖାଇବା ତେଲର ସବୁଠାରୁ ବଡ଼ ଆମଦାନୀକାରୀ ।
ପାମ ଅଏଲକୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ସବୁ ଦେଶରେ ଅଧିକ ମାତ୍ରାରେ ବ୍ୟବହାର କରାଯାଇଥାଏ । ଏକ୍ସପର୍ଟଙ୍କ ମତରେ, ଇଣ୍ଡୋନେସିଆରେ ସୃଷ୍ଟି ହୋଇଥିବା ଅଏଲ ସଙ୍କଟ କାରଣରୁ ଭାରତରେ ଖାଇବା ତେଲର ଦର ବୃଦ୍ଧି ଦେଖିବାକୁ ମିଳିବ । ଭାରତ ବହୁମାତ୍ରାରେ ତୈଳ ଇଣ୍ଡୋନେସିଆରୁ ଆମଦାନୀ କରୁଥିବାରୁ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।