(ତାରାକାନ୍ତ ନାୟକ/ସାଲେପୁର): ମହାମାରୀ କରୋନା ପାଇଁ ସରକାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ଘୋଷଣା କରିଛନ୍ତି । ସ୍କୁଲ ପିଲାଙ୍କ ପାଠ ପଢା ପାଇଁ ସରକାର ଅନଲାଇନ ମାଧ୍ୟମରେ ପାଠ ପଢିବାର ବ୍ୟବସ୍ଥା କରିଛନ୍ତି । ଏହି ବ୍ୟବସ୍ଥାକୁ ଧନୀକ ଓ ମଧ୍ୟବିତ ପରିବାରର ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ୱାଗତଯୋଗ୍ୟ ବୋଲି କହୁଥିବା ବେଳେ ଗରିବ ଶ୍ରେଣୀର ପରିବାର ପାଇଁ ଏହା ଯେପରି ଏକ ଆର୍ଥିକ ବୋଝ ସଦୃଶ ହୋଇଛି । ନିଜ ପିଲାଙ୍କୁ ପାଠ ପଢାଇ ମଣିଷ କରିବା ପାଇଁ କିଏ ଗାଈ ତ ଆଉ କିଏ କାନଫୁଲ ବିକି ସ୍ମାର୍ଟଫୋନ କିଣୁଥିବା ଦେଖାଯାଇଛି । ଏଭଳି ଦୁଇ ଦୁଇଟି ଉଦାହରଣ କଟକ ଜିଲ୍ଲାର ସାଲେପୁର ଓ ମାହାଙ୍ଗା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ସାଲେପୁର ବଟେଶ୍ୱର ଗାଁର ଅର୍ଚ୍ଚିତା ଭୋଇ । ବାପା ଗଗନ ବିହାରୀ ଭୋଇ ଦିନ ମଜୁରିଆ ହୋଇଥିବା ବେଳେ ମାଆ ଗୃହିଣୀ । ବର୍ତ୍ତମାନ କରୋନା ଲକଡାଉନ ପାଇଁ କାମ ଧନ୍ଦା ବିଶେଷ ମିଳୁନଥିବା ବେଳେ ଝିଅର ପାଠପଢା ବନ୍ଦ ନ ହେବା ପାଇଁ ସ୍ତ୍ରୀର କାନଫୁଲ ବିକି ଝିଅ ପାଇଁ ବାପା କିଣିଛନ୍ତି ମୋବାଇଲ ।
ସେହିପରି ମାହାଙ୍ଗା ବ୍ଲକର ଭେଡା ପଞ୍ଚାୟତ ଅନ୍ତର୍ଗତ ନାପଟୁଆଁ ଗାଁର ରମେଶ ଚନ୍ଦ୍ର ଦାସଙ୍କ ଝିଅ ବର୍ଷାରାଣୀ ଦାସ ଦଶମ ଶ୍ରେଣୀରେ ପଢନ୍ତି । ବାପା ଦୀର୍ଘ ଦିନରୁ ଗୋପାଳନ କରି କ୍ଷୀର ବିକି ପରିବାର ଚଳାଇଥାନ୍ତି । ଏବେ ଲକଡାଉନ ସକାଶେ ସ୍କୁଲ ପିଲାଙ୍କ ସରକାର କରିଥିବା ଅନଲାଇନ ପାଠପଢାର ସୁବିଧା ଯେପରି ଝିଅ ପାଉ ସେଥିପାଇଁ ଶେଷରେ ଗାଈକୁ ବିକିଛନ୍ତି । ତେବେ ସରକାରଙ୍କ ଅନଲାଇନ ପାଠପଢା ବ୍ୟବସ୍ଥା ଛାତ୍ରଛାତ୍ରୀ ପାଇଁ ସଫଳ ପ୍ରମାଣିତ ହୋଇଥିବା ବେଳେ ଗରିବ ଅଭିଭାବକଙ୍କ କ୍ଷେତ୍ରରେ କିଭଳି ସମସ୍ୟା ଆଣୁଛି ତାହା ଉପରୋକ୍ତ ଉଦାହରଣ ଦୁଇଟିରୁ ସହଜେ ଅନୁମେୟ । ଗରିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନ ମାଧ୍ୟମରେ ପାଠପଢା ଦିଗରେ ସରକାର ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।
previous post