ଭୁବନେଶ୍ୱର: ପ୍ରବାସୀଙ୍କ ଦୁର୍ଦ୍ଦଶା ଥମିବାର ନାମ ନେଉନାହିଁ । ଅସହାୟ ପ୍ରବାସୀ ଲକଡାଉନ ପାଇଁ ଶେଷରେ ନିଜ ପାଦକୁ ସାହାରା କରି ଗାଁ ମୁହାଁ ହେଉଛନ୍ତି । ଆଜି ବାଣିବିହାର ନିକଟରେ ଚାଲି ଚାଲି ଯାଉଥିବା ୬ ଜଣ ଯୁବକଙ୍କୁ ସ୍ଥାନୀୟ ଲୋକ ଦେଖି ସହିଦନଗର ପୁଲିସ ଥାନାକୁ ଖବର ଦେଇଥିଲେ । ସୂଚନାନୁଯାୟୀ ଏମାନେ ବାଲୁଗାଁରୁ ବାହାରିଛନ୍ତି ଓ ଲକ୍ଷେ୍ନø ଯିବେ । ଦୁଇ ଦିନ ହେବ ଚାଲିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ବାଲୁଙ୍ଗାରେ ଥିବା ଏଫ ଟି କମ୍ପାନୀରେ ଏମାନେ କାମ କରିବାକୁ ଲକ୍ଷେ୍ନøରୁ ଆସିଥିଲେ । ସେଠାରେ କିଛି ବର୍ଷ ଧରି କାମ କରିଛନ୍ତି । କିନ୍ତୁ କରୋନା ମହାମାରୀକୁ ନେଇ ଜାରି ଲକଡାଉନ ପାଇଁ ସେମାନଙ୍କ କମ୍ପାନୀ ବନ୍ଦ ହୋଇଗଲା । ଗାଡିମଟର ଚଳପ୍ରଚଳ ବନ୍ଦ ହେବାରୁ ଆଉ ନିଜ ଗାଁକୁ ଯିବା ସମ୍ଭବ ନ ଥିଲା । ଭାବିଥିଲେ ଲକ୍ଡାଉନ ସରିଲେ ସେମାନେ ପୁଣି କାମରେ ଯୋଗ ଦେବେ । ତେଣୁ ବାଧ୍ୟ ହୋଇ ବାଲୁଗାଁରେ ପଡି ରହିଥିଲେ । କିନ୍ତୁ ଲକ୍ଡାଉନ ଥର ଥର କରି ଦୁଇ ଥର ବଢାଇ ଦିଆଗଲା । ଆଗକୁ ଆହୁରି ବଢିପାରେ । ଫଳରେ କମ୍ପାନୀ ଖୋଲିବାର ଆଶା ନାହିଁ । ୩ ଦିନ ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ କହିଲେ, କମ୍ପାନୀ ଖୋଲିବ ନାହିଁ । ସେମାନେ ଗାଁକୁ ଚାଲି ଯାଆନ୍ତୁ । ତେଣୁ ଆଉ କୌଣସି ଆଶା ନ ଦେଖି ବୁଧବାରଠାରୁ ସେମାନେ ୧୮୦୦ କିଲୋମିଟର ଦୂର ଗାଁ ଅଭିମୁଖେ ଚାଲିବା ଆରମ୍ଭ କରିଛନ୍ତି । କାରଣ ଏଠାରେ କମ୍ପାନୀ କାମ ଦେବାକୁ ମନା କରି ଦେଇଥିବା ବେଳେ ଆଉ ଟଙ୍କା ପଇସା ମଧ୍ୟ ନାହିଁ । ଲକଡାଉନ ହେବା ପରେ ସେମାନେ ଅନେକ ଦିନ ଭୋକ ଉପାସରେ ଦିନ କାଟୁଥିଲେ । ଆଉ ଏଠାରେ ରହିଲେ ସେମାନେ ମରିଯିବେ । ତେଣୁ ମନରେ ସାହସ ବାନ୍ଧି ଗାଁକୁ ଯିବାକୁ ଚାହିଁଚନ୍ତି ଏହି ଅସହାୟ ପ୍ରବାସୀ ।
ତେବେ ବାଣିବିହାରରେ ଏମାନଙ୍କୁ ଦେଖି ସ୍ଥାନୀୟ ଲୋକେ ସହିଦ ନଗର ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ସେମାନଙ୍କୁ ସେଠାରେ ବସାଇ ସେମାନଙ୍କ ଖାଇବା ପିଇବାର ବ୍ୟବସ୍ଥା କରିଥିଲା । ଏନେଇ ସହିଦନଗର ଆଇଆଇସିଙ୍କୁ ପଚାରିବାରୁ ସେ କହିଲେ, ସେମାନଙ୍କ ଯିବା ଲାଗି ଏକ ବସର ବ୍ୟବସ୍ଥା କରାଯାଇଛି । ପୁଲିସ ସେମାନଙ୍କୁ ରସୁଲଗଡ ସ୍କ୍ରିନିଂ ସେଣ୍ଟରକୁ ନେଇ ସେଠାରେ ସ୍କ୍ରିନିଂ କରାଯିବ ଓ ଏହାପରେ ରସୁଲଗଡରୁ ସେମାନଙ୍କୁ ଲକ୍ଷେ୍ନøରେ ପହଞ୍ଚାଇ ଦିଆଯିବ ।
previous post
next post