(ପୁରୀ) : ଆସନ୍ତା କାଲି ପ୍ରଥମାଷ୍ଟମୀ । ରୀତିନୀତି ଅନୁସାରେ ପୋଢୁଆଁ ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ । ମାର୍ଗଶୀର ଅଷ୍ଟମୀ ତିଥିରେ ଶ୍ରୀଜଗନ୍ନାଥଙ୍କ ପୋଢୁଆଁ । ଏ ନେଇ ପ୍ରଥମାଷ୍ଟମୀ ପୂର୍ବଦିନ ଅର୍ଥାତ ଆଜି (ସୋମବାର) ସପ୍ତମୀ ତିଥିରେ ଠାକୁରଙ୍କ ମାମୁଁ ଘର ଶ୍ରୀମାଧବଙ୍କ ପୀଠରୁ ଶ୍ରୀଜଗନ୍ନାଥଙ୍କ ପାଇଁ ପୋଢୁଆଁ ଭାର ଯାତ୍ରା ବାହାରିଛି ।
ସୂଚନାନୁଯାୟୀ , ଶ୍ରୀଜିଉଙ୍କ ପାଇଁ ପାଟବସ୍ତ୍ର ଓ ଅନ୍ୟାନ୍ୟ ପୋଢୁଆଁ ସାମଗ୍ରୀ ପଠାଯାଉଛି । ଭୋଇ ସେବକ ମାନେ ଆଗରେ ପତାକା ଧରି ଚାଲିଛନ୍ତି । ଢୋଲିଆ ଓ ମହୁରିଆ ମଙ୍ଗଳବାଦ୍ୟରେ କମ୍ପୁଛି ପରିବେଶ । ପଛକୁ ଗଡ଼ୁଆ ସେବକ ଓ ପାଇକ ଆଖଡା କରୁଛନ୍ତି । ଏହା ସହିତ ରାମତାଳି ଓ ଲାଉଡ଼ି ପ୍ରଦର୍ଶନ କରାଯାଉଛି । ନାରାବାଜି ଯାତ୍ରା ବାଟରେ ପ୍ରାୟ 90 ରୁ ଅଧିକ ସୁଶୋଭିତ ସଂକୀର୍ତ୍ତନ ଦଳ ଓ ଘଣ୍ଟ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ୨୦ଜଣ ବେହେରା ସେବକ ନିଷ୍ଠାର ସହ ଉପବାସ ବ୍ରତ ପାଳି ଏହି ଦିବ୍ୟଭାର ନେଇ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ଅପରାହ୍ନ ୫ଟା ସୁଦ୍ଧା ମହାପ୍ରଭୁଙ୍କ ପୋଢୁଆଁ ଭାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚାଇବା ସହ ଏହି ପବିତ୍ର ଯାତ୍ରା ସମ୍ପନ୍ନ ହେବ । ଏହି ଯାତ୍ରାକୁ ମାଧବାନନ୍ଦ ବିକାଶ ପରିଷଦ ପକ୍ଷରୁ ପରିଚାଳନା କରାଯାଉଛି ।
