(ପୁରୀ) : ଆଜି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ । ସୋମବାର ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ ରାହୁରେଖା ଲାଗି ନୀତି । ଏଣୁ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାନୁଯାୟୀ , ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ତେବେ ଏହି ନୀତି ଆପାତତଃ ଅପରାହ୍ନ ୩ଟା ରୁ ଆରମ୍ଭ ହେବା ସହ ରାତ୍ର ୮ଟା ପର୍ଯ୍ୟନ୍ତ ଚାଲୁ ରହିବ । ସ୍ନାନପୂର୍ଣ୍ଣିମାରୁ ମହାପ୍ରଭୁଙ୍କଠାରୁ ହୋଇଥିବା ସ୍ୱର୍ଣ୍ଣି ନିର୍ମିତ ରାହୁରେଖା ଅଳଙ୍କାରକୁ ପୁନର୍ବାର ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀମୁଖ ଚତୁଃପାର୍ଶ୍ୱରେ ଲାଗି ହେବ । ସ୍ନାନ ପୂର୍ଣ୍ଣୀମା ଦିନ ୧୦୮ ଗରା ଜଳରେ ସ୍ନାନ କରି ଥଣ୍ଡା ଜ୍ୱରରେ ପୀଡ଼ିତ ହେବା ପରେ ଶ୍ରୀଜିଉଙ୍କ ଶ୍ରୀମୁଖରୁ ରାହୁରେଖାକୁ କାଢି ଦିଆ ଯାଇଥିଲା । ତେବେ ପୁନର୍ବାର ଆସନ୍ତାକାଲି ଦେଉଳକରଣ, ତଢଉ କରଣ, ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ଭଣ୍ଡାର ଘରୁ ରାହୁରେଖାକୁ କଢାଯିବ । ରାହୁରେଖା ନୀତି ସମାପ୍ତ ପରେ ଠାକୁରଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।
