ଓଡିଶା

ୟୁପିଏସସି କୋଚିଂ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ଭୁବନେଶ୍ୱର: ସିଏଜି ରିପୋର୍ଟରେ ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷା (ୟୁପିଏସସି) ପ୍ରସ୍ତୁତି ପାଇଁ ରାଜ୍ୟସରକାର ଆରମ୍ଭ କରିଥିବା କୋଚିଂ ବ୍ୟବସ୍ଥାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୟୁପିଏସସି ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିବାକୁ ନେଇ ବିଭିନ୍ନ ମହଲରୁ ପୂର୍ବରୁ ଅଭିଯୋଗ ଓ ଅସନ୍ତୋଷ ହୋଇଆସୁଥିଲା । ଏହି ଅଭିଯୋଗ ଆଧାରରେ ରାଜ୍ୟ ସରକାର ୟୁପିଏସସି ଆଶାୟୀଙ୍କ ମାର୍ଗଦର୍ଶନ ପାଇଁ ଆରମ୍ଭ କଲେ କୋଚିଂ ବ୍ୟବସ୍ଥା । କିନ୍ତୁ ଏଥିରେ ମୋଟ ୨.୪୦ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ କିନ୍ତୁ ଏଥିରୁ କୌଣସି ସୁଫଳ ମିଳିନଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
୨୦୧୬ରେ ରାଜ୍ୟ ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ୮ଟି ସରକାରୀ ବିଶ୍ୱବିଦ୍ୟାଳୟରେ ସିଭିଲ୍ ସର୍ଭିସ୍ କୋଚିଂ ଦେବା ପାଇଁ ଯୋଜନା ଆରମ୍ଭ କରିଥିଲେ । ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୪୦ ଲକ୍ଷ ଟଙ୍କା କୋଚିଂ ବାବଦକୁ ଖର୍ଚ୍ଚ ହେଲାଣି । କିନ୍ତୁ ଏତେ ଟଙ୍କା ଖାଲି ପାଣିରେ ପଡିବା ସାର ହୋଇଛି । ଏଯାବତ୍ ରାଜ୍ୟର ଜଣେ ମଧ୍ୟ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇପାରି ନାହାନ୍ତି ।
ଉଚ୍ଚଶିକ୍ଷା ବିଭାଗ ସୂଚନା ଅନୁଯାୟୀ, ୨୦୧୬ରେ ୬ଟି ବିଶ୍ୱବିଦ୍ୟାଳୟ ଓ ୨୦୧୭ରେ ୨ଟି ବିଶ୍ୱବିଦ୍ୟାଳୟରରେ କୋଚିଂ ଆରମ୍ଭ କରାଯାଇଥିଲା । ୨୦୧୬ରୁ ୧୮ ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ୩୦ ଲକ୍ଷ, ବ୍ରହ୍ମପୁର, ସମ୍ବଲପୁର, ରେଭେନ୍ସା, ରମାଦେବୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ୨୬ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । କିନ୍ତୁ ଏହି ସର୍ବଭାରତୀୟ ପରୀକ୍ଷାରେ ରାଜ୍ୟର ଛାତ୍ରଛାତ୍ରୀ କୌଣସି ସଫଳତା ହାସଲ କରିନାହାନ୍ତି । ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଉପଯୁକ୍ତ ପରିଚାଳନା ଅଭାବ, ତଦାରଖ ଅଭାବ ପାଇଁ ଯୋଜନା ନାମରେ କେବଳ ଅର୍ଥ ପାଣିରେ ବୁହାଇବା ସାର ହୋଇଛି । ଏହି କୋଚିଂ ବ୍ୟବସ୍ଥା କାହା ସ୍ୱାର୍ଥରେ ହୋଇଥିଲା ବୋଲି ପ୍ରଶ୍ନ ଉଠୁଛି ।

Related posts

ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର, ନୀଳାଦ୍ରୀ ନୀଳୟରେ ଥଇଥାନ

mahabharatanews

ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା

mahabharatanews

୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

mahabharatanews