ଖେଳଦେଶ ବିଦେଶ

ପୁଣି ତେଜିଲା ସ୍ୟାଣ୍ଡପେପର୍ ଗେଟ୍ ବିବାଦ, ପୁନଃ ତଦନ୍ତକୁ ମନା କଲା କ୍ରିକେଟ୍ ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆ କ୍ରିକେଟ୍‌ର ପିଛା ଛାଡ଼ୁନି ୨୦୧୮ର ବହୁଚର୍ଚ୍ଚିତ ବଲ୍‌ ଟାମ୍ପରିଂ ବିବାଦ। ‘ସ୍ୟାଣ୍ଡପେପର୍‌ ଗେଟ୍‌’ ଘଟଣାକୁ ନେଇ ପୂର୍ବତନ ଓପନର୍‌ ଉସମାନ ଖୱାଜାଙ୍କ ଆତ୍ମଜୀବନୀରେ ନୂଆ ଦାବି ସାମ୍ନାକୁ ଆସିବା ପରେ ପୁଣି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହି ଘଟଣାର ପୁନଃ ତଦନ୍ତ କରିବାକୁ ସିଧାସଳଖ ମନା କରିଦେଇଛି କ୍ରିକେଟ୍‌ ଅଷ୍ଟ୍ରେଲିଆ। ସଂସ୍ଥାର ମୁଖ୍ୟ ଟଡ୍‌ ଗ୍ରିନ୍‌ବର୍ଗ କହିଛନ୍ତି ଯେ ପୂର୍ବ ତଦନ୍ତର ଫଳାଫଳକୁ ନେଇ ସେମାନେ ସନ୍ତୁଷ୍ଟ ଅଛନ୍ତି। ତେଣୁ ଏହି ମାମଲାକୁ ପୁଣି ଖୋଲିବାର ଆବଶ୍ୟକତା ନାହିଁ।

  

 

ଖୱାଜାଙ୍କ ଆତ୍ମଜୀବନୀ ‘ସବର୍‌’ ପ୍ରକାଶ ପାଇବା ପରେ ବିବାଦ ପୁଣି ମୁଣ୍ଡ ଟେକିଛି। ପୁସ୍ତକରେ ସେ ଦାବି କରିଛନ୍ତି ଯେ ୨୦୧୮ରେ ବଲ୍‌ ଟାମ୍ପରିଂ ଯୋଜନା ସମ୍ପର୍କରେ ଅଷ୍ଟ୍ରେଲିଆ ଦଳର ସମସ୍ତ ଖେଳାଳି ଅବଗତ ଥିଲେ। ଏହି ଘଟଣା କେବଳ ତିନିଜଣ ଖେଳାଳିଙ୍କ ମଧ୍ୟରେ ସୀମିତ ନଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। ଖୱାଜାଙ୍କ ଏହି ଦାବି ପରେ ଘଟଣାର ପୂର୍ବ ତଦନ୍ତ ଓ ତାହାର ନିଷ୍କର୍ଷକୁ ନେଇ ପୁଣି ପ୍ରଶ୍ନ ଉଠିଛି।

ତେବେ ଖୱାଜାଙ୍କ ଦାବି ସହ ଏକମତ ନୁହନ୍ତି ଟଡ୍‌ ଗ୍ରିନ୍‌ବର୍ଗ। ତାଙ୍କ କହିବା ଅନୁସାରେ, ଖୱାଜାଙ୍କ ପୁସ୍ତକରେ ଥିବା କେତେକ ତଥ୍ୟ ଅନ୍ୟ ଖେଳାଳିଙ୍କ ବୟାନ ସହ ମେଳ ଖାଉନାହିଁ। ଏହି ଘଟଣାର ପୂର୍ବରୁ ବିସ୍ତୃତ ତଦନ୍ତ ହୋଇସାରିଛି। ତେଣୁ ଆଉ ଥରେ ତଦନ୍ତ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ଟାଉନ୍‌ ଟେଷ୍ଟ୍‌ ମ୍ୟାଚ୍‌ରେ ବଲ୍‌ର ଅବସ୍ଥା ପରିବର୍ତ୍ତନ କରିବା ପାଇଁ ସ୍ୟାଣ୍ଡପେପର୍‌ ବ୍ୟବହାର କରାଯାଇଥିଲା। ଏହି ଘଟଣାରେ ତତ୍କାଳୀନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଓ ଉପଅଧିନାୟକ ଡେଭିଡ୍‌ ୱାର୍ନରଙ୍କୁ ଗୋଟିଏ ବର୍ଷ ଲେଖାଏଁ ବାସନ୍ଦ କରାଯାଇଥିଲା। ସେହିପରି କାମେରନ୍‌ ବାନ୍‌କ୍ରଫ୍ଟଙ୍କୁ ୯ ମାସ ପାଇଁ ବାସନ୍ଦ କରାଯାଇଥିଲା। ଘଟଣାକୁ ଦୀର୍ଘ ଆଠ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ଅଷ୍ଟ୍ରେଲିଆ କ୍ରିକେଟ୍‌ ପାଇଁ ଏବେ ବି ଏକ ବଡ଼ ବିବାଦ ହୋଇ ରହିଛି। ଖୱାଜାଙ୍କ ନୂଆ ଦାବି ପରେ ଏହାକୁ ନେଇ ଚର୍ଚ୍ଚା ପୁଣି ଜୋର୍‌ ଧରିଛି।

Related posts

ଯାନ୍ତ୍ରିକ ତ୍ରୁଟି ଯୋଗୁଁ CUET UG ପରୀକ୍ଷା ବିଳମ୍ବ, କ୍ଷମା ମାଗିଲା NTA

mahabharatanews

ରୁଷରେ ନ୍ୟୁମୋନିକ୍ ପ୍ଲେଗ୍ ଆତଙ୍କ; କ୍ବାରେଣ୍ଟାଇନରେ ୧୮୯ ଜଣ

mahabharatanews

ପ୍ରତି ଗ୍ରାଉଣ୍ଡଷ୍ଟାଫଙ୍କୁ ୧୦ ଲକ୍ଷର ଚେକ୍

mahabharatanews