ସାମାଜିକ ଗଣମାଧ୍ୟମ.. ଏପରି କୌଣସି କଥା ନାହିଁ ଯାହା ଏଥିରେ ବାଦ ପଡିଛି । ପୂଜା ପର୍ବାଣୀ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମର ଅପଡେଟ ସୋସିଆଲ ମିଡିଆରେ ହିଁ ହେଉଛି । ସେଥିଲାଗି ନେତା, ମନ୍ତ୍ରୀ ଏମିତିକି ବିଭାଗୀୟ ସଚିବ ଲକ୍ଷ ଲକ୍ଷ ଟଙ୍କା ସାରୁଛନ୍ତି । ହେଲେ କେହି ଜଣେ ଦେଖିପାରିଲେନି ସୌମ୍ୟାଶ୍ରୀଙ୍କ ଟ୍ୱିଟ । ରାଜକୋଷରୁ ବିପୁଳ ଟଙ୍କା ତାଙ୍କୁ ଦିଆଯାଉଛି । କିନ୍ତୁ ସେମାନଙ୍କ ପାଇଁ ମୁଖ୍ୟ କାମ ପାଲଟିଛି ନେତା ମନ୍ତ୍ରୀଙ୍କ ଫଟୋ ଚମକାଇବା । ଏହା ଛଡା ଯେପରି କୌଣସି ସେମାନଙ୍କ ପାଖରେ ବା ନେତା, ମନ୍ତ୍ରୀଙ୍କ ସୋସିଆଲ ମିଡିଆରେ କୌଣସି କାମ ନାହିଁ ।
ଜନତା ଦୁଃଖ ଜଣାଇବାରେ ବ୍ୟସ୍ତ ଆଉ ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ କରୁଥିବା ପିଲା ବିଭିନ୍ନ ଛବି ଚମକାଇବାରେ ବ୍ୟସ୍ତ । ଏଠି ଲୋକଙ୍କ କଥା ପଚାରେ କିଏ ? ମ୍ୟାନେଜମେଣ୍ଟ ନାଁରେ କେବଳ ପ୍ରହସନ ଚାଲିଛି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ଦୁଃଖ ପ୍ରକାଶ କରୁଛୁ, ମର୍ମାହତ ଅଛୁ ବୋଲି ଯେତେ ଜଲ୍ଦି ପୋଷ୍ଟ ହେଲା । ଲାଗିଲା ଯେମିତି ସେମାନେ ଫୁଲ ଆକ୍ଟିଭ । ନିଜର ପ୍ରଚାର ପ୍ରସାର ପାଇଁ ସରକାରୀ କଳ ହାତ ଖୋଲି ଦେଉଛନ୍ତି । ହେଲେ ସୌମ୍ୟାଙ୍କ ପରି ଅନେକଙ୍କ ଅଭିଯୋଗ କାହାର ଦୃଷ୍ଟିଗୋଚର ହେଉନାହିଁ ।
ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ କରିବା ପାଇଁ ଟେଣ୍ଡର ମାଧ୍ୟମରେ ହେଉଛି ପିଲାଙ୍କ ସିଲେକ୍ସନ । ବିଭିନ୍ନ ମାନଦଣ୍ଡ ଦେଖାଇବା ପରେ ସୋସିଆଲ ମିଡିଆ ମେଣ୍ଟେନ କରିବା ପାଇଁ ପିଲା ସିଲେକ୍ଟ ହେଉଛନ୍ତି । ଲକ୍ଷାଧିକ ଟଙ୍କା ବ୍ୟୟରେ ଟେଣ୍ଡର ପାଉଛନ୍ତି ସଂସ୍ଥା । ହେଲେ କାମ ପାଇଲା ପରେ ନିଶ୍ଚିନ୍ତରେ ବସି ରହୁଛନ୍ତି ଉକ୍ତ ସଂସ୍ଥା ଓ ସେଥିରେ ନିୟୋଜିତ ବ୍ୟକ୍ତି ।
ତେବେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ବି ପ୍ରଚାର ପ୍ରସାର ବ୍ୟତୀତ, ଆଉ କୌଣସି ପୋଷ୍ଟ ପ୍ରତି କାହାର ଧ୍ୟାନ ରହୁନାହିଁ, ଯାହା ସୌମ୍ୟାଶ୍ରୀଙ୍କ ଘଟଣାରୁ ସ୍ପଷ୍ଟ ହୋଇଯାଉଛି । କାଳେ ଅଧିକ କାମ ଆସିବ ଭାବି ବାବୁ ମାନେ ବି ଚୁପ ହୋଇ ବସିଯାଉଥିବା ଏଣିକି ଚର୍ଚ୍ଚା ହେଉଛି ।