ଅପରାଧ

ବାଘଛାଲ, ବନ୍ଧୁକ, ଗୁଳି, ବିଷ୍ଫୋରକ ସାମଗ୍ରୀ ଜବତ

ଭୁବନେଶ୍ୱର: ରାଜ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାରରେ ରୋକ ଲାଗି ପାରୁନାହିଁ । ବିଶେଷକରି ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ଚାଲାଣ ରାଜ୍ୟରେ ବହୁଳ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ବେଆଇନ କାରବାର ଉପରେ କ୍ରାଇମ ବ୍ରାଞ୍ଚର ସ୍ୱତନ୍ତ୍ର ଟାକ୍ସ ଫୋର୍ସ(ଏସ୍ଟିଏଫ୍) ଚଢାଉ କରି କାରବାର ଉପରେ କିଛି ମାତ୍ରାରେ ରୋକ ଲଗାଇଥିଲେ ମଧ୍ୟ ଏହି ସଂଖ୍ୟା ନଗନ୍ୟ । ଏପରି ସ୍ଥଳେ ବୌଦ୍ଧ ଜିଲ୍ଲାରେ ଚଢାଉ କରି ଏସ୍ଟିଏଫ୍ ଆଜି ଆଉ ବାଘଛାଲ ଜବତ କରିବା ସହ ଜଣେ ଶିକାରୀଙ୍କୁ ଗିରଫ କରିଛି । ଗିରଫ ଶିକାରୀ ଜଣଙ୍କ ହେଉଛନ୍ତି, ବୋଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ଘୁଚିଙ୍ଗୀ ଗାଁର ରହି ରଣା । ତାଙ୍କ ଠାରୁ ଏସ୍ଟିଏଫ୍ ଗୋଟିଏ ବାଘଛାଲ, ଗୋଟିଏ ଏସବିଏମଏଲ ବନ୍ଧୁକ, ୧୨ଟି ସିସା ଗୋଲି, ଦୁଇ ପ୍ଲାଷ୍ଟିକ ବାକ୍ସରେ ଥିବା ବିଷ୍ଫୋରକ ସାମଗ୍ରୀ ଜବତ କରିଛି । ଏନେଇ ଏସ୍ଟିଏଫ୍ ଆଇପିସି ଦଫା ୩୭୯, ୧୨୦ ବି, ୪୧୧, ଆର୍ମ୍ସ ଆକ୍ଟ ୨୫ ଏବଂ ବନ୍ୟଜନ୍ତ୍ୁ ସୁରକ୍ଷା ଆଇନ ୫୧ରେ ଏକ ମାମଲା(୨୫/୨୧) ରୁଜୁ କରିଛି ।
ସୂଚନା ଅନୁଯାୟୀ ଅଭିଯୁକ୍ତ ହର ବୌଦ୍ଧ ଜିିଲ୍ଲାରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର କରୁଥିôବା ନେଇ ଏସ୍ଟିଏଫ୍ ପାଖରେ ଗୁଇନ୍ଦା ସୂଚନା ଥିଲା । ଆଜି ସକାଳେ ହର ବାଘ ଛାଲ ନେଇ ଫେରୁଥିବା ନେଇ ଏସ୍ଟିଏଫ୍ ସୁଚନା ପାଇଥିଲା । ପରେ ତାଙ୍କୁ ଧରିବା ପାଇଁ ଏସ୍ଟିଏଫ୍ର ଏକ ସ୍ୱତନ୍ତ୍ର ଟିମ୍ ପୂର୍ବରୁ ସେ ଆସିବା ବାଟରେ ଜଗି ରହିଥିଲେ । ଅଭିଯୁକ୍ତ ହର ଏକ ବ୍ୟାଗ ନେଇ ଆସୁଥିବା ବେଳେ ବୋଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କପାଶିର ଗାଁ ନିକଟରେ ଏସ୍ଟିଏଫ୍ ଚଢାଉ କରି ତାଙ୍କୁ ଗିରଫ କରିଥିବା ଯାଞ୍ଚ କରିବାରୁ ତାଙ୍କ ପାଖରେ ଉପରୋକ୍ତ ସାମଗ୍ରୀ ବାହାରିଥିଲା । ତେବେ ହର ପାଖରେ ଏଭଳି କାରବାର ନେଇ କୌଣସି ଲାଇସେନ୍ସ ନ ଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା । ତେତେ ଏହି କାରବାରରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଏସ୍ଟିଏଫ୍ ହରକୁ ପଚରାଉଚରା ବେଳେ ଜାଣିବାକୁ ପାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ଯୋଜନା ଚଳାଇଥିବା ସୂଚନା ମିଳିଛି ।
ତେବେ ଜବତ ବାଘ ଛାଲର ପରୀକ୍ଷା ପାଇଁ ଡେରାଡୁନ ସ୍ଥିତ ୱାଇଲ୍ଡ ଲାଇଫ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏଭଳି କାରବାର ଉପରେ ଚଢାଉ କରି ଏସ୍ଟିଏଫ୍ ବିଗତ ବର୍ଷଟେ ମଧ୍ୟରେ ୧୫ଟି ବାଘଛାଲ, ୯ ଟି ହାତୀ ଦାନ୍ତ, ଦୁଇଟି ହରିଣ ଛାଲ, ୩ଟି ଜୀବନ୍ତ ବଜ୍ରକାପ୍ତା, ୧୦ କେଜି ବଜ୍ରକାପ୍ତା କାତି ଉଦ୍ଧାର କରିଛି । ଏହି କାରବାରରେ ଜଡିତ ଥିବା ମୋଟ ୨୮ ଜଣଙ୍କୁ ଏସ୍ଟିଏଫ୍ ଗିରଫ କରି କୋର୍ଟ ଚାଲାଣ କରିଛି । ହେଲେ ସବୁଠୁ ବଡ କଥା ହେଉଛି ଏହି କାରବାର ପଛରେ କିଏ ରହୁଛି, ଏହି ଛାଲ କେଉଁଠିକୁ ପଠାଯାଉଛି ତା ଉପରେ ପୁଲିସ ତଦନ୍ତ କରୁ ନ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ମଧ୍ୟ ଏଭଳି ମସସ୍ତ ଘଟଣାରେ ଏସ୍ଟିଏଫ୍ ଘଟଣାସ୍ଥଳରୁ ଅଭିଯୁକ୍ତଙ୍କୁ ଧରି ଚୁପ୍ ବସି ପଡୁଛି । ହେଲେ ଏହି ର୍ୟାକେଟ ପଛରେ କିଏ ତାହା ଜାଣିବାକୁ ଚେଷ୍ଟା କରୁନାହିଁ । ଯଦି ଏସବୁ ଦିଗ ଉପରେ ପୋଲିସ ତଦନ୍ତ କରନ୍ତା ତେବେ କାରବାର ପଛରେ କିଏ ରହୁଛି ସେ ସମ୍ପର୍କରେ ଜଣାପଡନ୍ତା ।

 

Related posts

ରିୟାଙ୍କୁ ଦେଇଛନ୍ତି ଡ୍ରାଗ୍ସ ସାରା ଅଲି ଖାନ

mahabharatanews

ସମ୍ପତ୍ତି ପାଇଁ ବାପାକୁ ମାରିବାକୁ ଧମକ ଦେଲା ପୁଅ

mahabharatanews

ପୁଅ ଆଶାରେ ୫ କନ୍ୟା ସନ୍ତାନଙ୍କ ବାପାର ଦ୍ୱିତୀୟ ବିବାହ ବିଫଳ

mahabharatanews