ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗେଟ୍ ଆଗରେ ଆତ୍ମହୂତି ଉଦ୍ୟମ କରିଥିବା ୨୪ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ । ୨୦୧୯ରେ ଉତ୍ତର ପ୍ରଦେଶର ଘୋଷି ବିଏସ୍ପି ସାଂସଦ ଅତୁଲ ରାୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥିଲେ ଯୁବତୀ। ପୁଲିସଠାରୁ ନ୍ୟାୟ ନ ପାଇ ଅଗଷ୍ଟ ୧୬ ତାରିଖରେ ତାଙ୍କର ଜଣେ ପୁରୁଷ ବନ୍ଦୁଙ୍କ ସହ ଆସି ସୁପ୍ରିମ କୋର୍ଟଙ୍କ ଗେଟ ଆଗରେ ଦେହରେ ନିଆଁ ଲଗାଇ ଦେଇଥିଲେ । ୨୧ ଅଗଷ୍ଟରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ସେମାନଙ୍କ ଚିକିତ୍ସା ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସା ଚାଲିଥିଲା ।
୨୦୧୯ରେ ସାଂସଦ ଅତୁଲ ତାଙ୍କ ବାରାଣସୀସ୍ଥିତ ଘରେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସାଂସଦ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ସେବେଠାରୁ ଜେଲରେ ଅଛନ୍ତି । କିନ୍ତୁ ୨୦୨୦ରେ ପୀଡିତାଙ୍କ ନାମରେ ଅତୁଲଙ୍କ ପରିବାର ପକ୍ଷରୁ ଏକ ଠକେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ବାରାଣସୀ କୋର୍ଟ ପୀଡିତାଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାରା ଜାରି କରିଥିଲେ । ପୁଲିସ ଖୋଜିଥିଲେ ମଧ୍ୟ ପୀଡିତାଙ୍କ ପତ୍ତା ପାଇନଥିଲା । କିନ୍ତୁ ଅଗଷ୍ଟ ୧୬ ତାରିଖରେ ଯୁବତୀ ଓ ତାଙ୍କ ବନ୍ଧୁ ଏକ ଫେସବୁକ ଲାଇଭ କରି ବାରାଣସୀ ପୁଲିସ ଦ୍ୱାରା କିପରି ନିର୍ଯାତିତ ହୋଇଛନ୍ତି ତାହା କହିବା ସହ ସୁପ୍ରିମକୋର୍ଟ ଗେଟ ଆଗରେ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହି ମାମଲାରେ ୨ ଜଣ ପୁଲିସ ଅଧିକାରୀ ନିଲମ୍ବିତ ହୋଇଛନ୍ତି ଓ ମାମଲାର ତଦନ୍ତ ଏସଆଇଟି କରୁଛି ।
