(ମହାଭାରତ/କୁଜଙ୍ଗ): ଜଗତସିଂପୁର ଜିଲ୍ଲା କୁଜଙ୍ଗ ଥାନା ଦୁଆଡିଆ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଏଠାରେ ଏକ ପ୍ରେମୀ ଯୁଗଳଙ୍କୁ ବାହାଘର ପାଇଁ ପରି୍ବାର ଲୋକେ ଅନୁମତି ନ ଦେବାରୁ ସେମାନେ ବେକରେ ଦଉଡି ଆତ୍ମହତ୍ୟା କରିଛନ୍ତି । ସୁଚନା ମୁତାବକ, ଏହି ଗାଁର ପାଣ୍ଡବ ଦାସଙ୍କ ଝିଅ ବେବିନା ଦାସ (୨୬) ଓ ତୁଷାର ପଲାଇ (୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଝିଅର ବୟସ ସେ ଭଲ ପାଉଥିବା ପୁଅ ଠାରୁ ଅଧିକ ହୋଇଥିବାରୁ ଏହାକୁ ଉଭୟଙ୍କ ପରିବାର ଲୋକେ ସ୍ୱୀକୃତି ଦେଇନଥିଲେ । ଏପରିକି ବେବିନାଙ୍କ ବାହାଘର ଅନ୍ୟତ୍ର କରିବା ପାଇଁ ଗତ ବୁଧବାରକୁ ନିର୍ବନ୍ଧର ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଏହାର ଦିନକ ପୂର୍ବରୁ ଉଭୟ ପ୍ରେମୀ ଯୁଗଳ ଘରୁ ଫେରାର ହୋଇଯାଇଥିଲେ । ଉଭୟଙ୍କ ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଗାଁ ପାଖରେ ଥିବା ଏକ ଡିମ୍ବିରି ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଖବର ପାଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ପ୍ରକୃତରେ ପ୍ରେମ ଜନିତ ଆତ୍ମହତ୍ୟା କି ନୁହେଁ ତାହା ଏଯାଏ ଜଣାପଡି ନ ଥିବା ବେଳେ ଶବ ବ୍ୟବଚ୍ଚେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
previous post