ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମରେ ବିଜେପି ନେତା ସଜ୍ଜାଦ ଅହମଦ ଖାଣ୍ଡେଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ସେ ଜଣେ ସରପଞ୍ଚ ଥିଲେ । ଖାଣ୍ଡେଙ୍କୁ କୁଲଗାମ ଜିଲ୍ଲା ବେସୁରେ ତାଙ୍କ ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମୃତ ସରପଞ୍ଚ ଅନ୍ୟ ସରପଞ୍ଚଙ୍କ ସହିତ ପ୍ରବାସୀ ଶିବିରରେ ରହୁଥିଲେ । ସେଠାରୁ ସେ ନିଜ ଘର ବେସୁ ଫେରୁଥିଲେ । ସେ ଘରଠାରୁ ମାତ୍ର ଅଳ୍ପ କିଛି ଦୂରରେ ପହଞ୍ଚିଥିବା ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଜୁଲାଇ ମାସରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀର ବାନ୍ଦୀପୋରାରେ ବିଜେପି ନେତା ୱାସିମ ଅହମଦ ବାରି, ତାଙ୍କ ପିତା ଓ ଭାଇଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହା ପୂର୍ବରୁ ଦକ୍ଷିଣ କାଶ୍ମୀରରେ ଅନନ୍ତନାଗ ଜିଲ୍ଲାରେ ସରପଞ୍ଚ କାଶ୍ମିରୀ ପଣ୍ଡିତ ଅଜୟ ପଣ୍ଡିତାଙ୍କୁ ଜୁନ ୧୮ ତାରିଖରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ ।
previous post