ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଲେଫ୍ଟନାଣ୍ଟ୍ ଜେନେରାଲ କେ.ପି. ଧଳସାମନ୍ତଙ୍କର ପରଲୋକ ହୋଇଯାଇଛି । ଆଜି ସକାଳ ୬ଟା ୪୫ ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିବାର ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପ୍ରାୟ ଏକ ମାସ ଧରି ଚିକିତ୍ସାଧୀନ ଥିଲେ । ସେ ମସ୍ତିଷ୍କ କର୍କଟ ରୋଗରେ ଆକ୍ରାନ୍ତ ଥିଲେ ।
ସେ ମାତ୍ର ୧୯ ବର୍ଷ ବୟସରେ ସେନାରେ ନିଯୁକ୍ତି ପାଇଥିଲେ । ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମରେ ଦଳସାମନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୧୯୯୯ କାରଗିଲ ଯୁଦ୍ଧରେ ସାମିଲ ହୋଇଥିଲେ । ଖାଲି ସେତିକି ନୁହେଁ କେ.ପି. ଧଳସାମନ୍ତ ପଞ୍ଜାବର ଅମୃତସର ଅପରେସନ୍ ବ୍ଲୁ ଷ୍ଟାର୍ରେ ବି ସାମିଲ୍ ହୋଇଥିଲେ । ଲେଫ୍ଟନାଣ୍ଟ୍ ଜେନେରାଲ୍ କେ.ପି. ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲସର ଡିଜି ଭାବେ ଅବସର ନେଇଥିଲେ । ସେ ଜଣେ ଜଣାଶୁଣା ସ୍ତମ୍ଭ ଲେଖକ ବି ଥିଲେ । ତାଙ୍କର ବିୟୋଗରେ ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ସୂଚନା ମିଳିଛି ।
