ଗଞ୍ଜାମ: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ପୀଠରେ ଚଳିତ ମାସ ୨୨,୨୯ ଏବଂ ଆସନ୍ତା ଏପ୍ରିଲ ମାସ ୫ ଏବଂ ୧୨ ତାରିଖ ଦିନ ପାଳିତ ହେବାକୁ ଥିବା ଚୈତ୍ର ପର୍ବ ପାଲନ ସକାଶେ ପ୍ରସ୍ତୁତି ବୈଠକ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଉତ୍ସବ ପାଳନ ସକାଶେ ଅନୁମତି ଦେବା ସହ ଭକ୍ତଗଣ ବିନା ଦ୍ବିଧାରେ କିଭଳି ମାଁ ଙ୍କର ଦର୍ଶନ ଲାଭ କରିପାରିବେ ସେଥି ସକାଶେ ସମସ୍ତ ପ୍ରକାର ଆୟୋଜନ କରିବାକୁ ଜଣାଇଥିଲେ । ଚଳିତ ବର୍ଷଠୁ ଏ ବର୍ଷ ଅଧିକ ଜନ ଗହଳି ହେବା ସମ୍ଭାବନା ରହିଛି ଏଣୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଜିଲ୍ଲାରେ ସମ୍ପ୍ରତି କୋଭିଡ୍ ସଂକ୍ରମଣ ସଂଖ୍ୟା ଦୁଇ ଅଙ୍କରେ ରହୁଥିବା ହେତୁ ମାଙ୍କର ଦର୍ଶନ ସକାଶେ ସମସ୍ତ ପ୍ରକାର ଆୟୋଜନ କରିବାକୁ ଜଣାଇଥିଲେ । ସମସ୍ତେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି । ମନ୍ଦିର ମଧ୍ୟକୁ ବିନା ମାସ୍କରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ମନ୍ଦିର ନିକଟରେ କୌଣସି ପୂଜା ସାମଗ୍ରୀ ବିକ୍ରି ହେବ ନାହିଁ । ମନ୍ଦିରର ପାଦ ଦେଶ ବା ପାହାଡ ତଳେ ନିର୍ଦ୍ଧାରିତ ସ୍ଥଳରେ ପୂଜା ସାମଗ୍ରୀ ବିକ୍ରି କରିବାକୁ ଅନୁମତି ଦିଆଯିବ । ମନ୍ଦିର ନିକଟରେ ସ୍ବାସ୍ଥ୍ୟ ବିଭାଗ ଦଳ ଅସ୍ଥାୟୀ ଭାବେ ସେମାନଙ୍କର ସ୍ବାସ୍ଥ୍ୟସେବା ଯୋଗାଇବେ ।
ଆଇନ୍ ଶୃଙ୍ଖଳା ପରିସ୍ଥିତି ସକାଶେ ପୋଲିସ୍ ଦଳ କାର୍ଯ୍ୟ ନିର୍ବାହ କରିବେ । ମନ୍ଦିର ଉପରକୁ କୌଣସି ଯାନବାହାନ ଯିବ ନାହିଁ । ଯାତ୍ରୀଗଣ ନିଜର ଯାନ ବାହାନ ପାର୍କିଂ ସ୍ଥଳରେ ରଖି ପାହାଡ ତଳେ ରଖାଯାଇଥିବା ବସ୍ ସେବା ଦ୍ବାରା ଟିକେଟ କାଟି ମନ୍ଦିର ଉପରକୁ ଯାଇ ଦର୍ଶନ କରିବେ । ସେବାୟତଙ୍କ ଯାତାୟତ ସକାଶେ ସ୍ବତନ୍ତ୍ର ବ୍ୟବସ୍ଥା ରହିବ । ବାହାରୁ ଆସୁଥିବା ଭିଭିଆଇପି ଙ୍କ ଯାତାୟତ ଦିଗରେ ଉପଜିଲ୍ଲାପାଳ ଦାୟିତ୍ଵ ନିର୍ବାହ କରିବେ । ଅସୁସ୍ଥ ଥିବା ବ୍ୟକ୍ତି, ବୟସ୍କ ବ୍ୟକ୍ତି କିମ୍ବା କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ମନ୍ଦିର ନ ଆସିବାକୁ ପରାମର୍ଶ ଦିଆଯାଇଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ସାଇନ୍ ବୋର୍ଡ ଦ୍ବାରା ବିଭିନ୍ନ ସ୍ଥାନର ସୂଚନା ଦିଆଯିବ । ପାହାଚ ରାସ୍ତା , ପାର୍କିଂସ୍ଥଳ ଏବଂ ରାସ୍ତାରେ ପାନୀୟଜଳର ବ୍ୟବସ୍ଥା ଓ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ଦିର ପରିସରରେ ପଲିଥିନ ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଭକ୍ତ ମାନଙ୍କର ସୁବିଧା ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ମନ୍ଦିର ନିକଟରେ ଏବଂ ପାଦ ଦେଶରେ ଅସ୍ଥାୟୀ ଶୌଚାଳୟ ଯାନର ବ୍ୟବସ୍ଥା କରାଯିବ । ମନ୍ଦିର ତରଫରୁ କାନିକା ଖେଚୁଡି ପ୍ରସାଦ ବିକ୍ରି ହେବ । ଭକ୍ତଗଣ ତାହା କିଣି ନିଜ ସାଥିରେ ନେବେ । ମନ୍ଦିର ଉପରିସ୍ଥ ସ୍ଥାନରେ ଖାଇବା ସମ୍ପୂର୍ଣ୍ଣ ମନା କରାଯାଇଛି । ଅସ୍ଥାୟୀ ସିସି ଟିଭି ବ୍ୟବସ୍ଥା ହେବ । ଚଳିତ ବର୍ଷ ମାନସିକଧାରୀ ଭକ୍ତଗଣ ମୁଣ୍ଡନ କରିପାରିବେ । ଆଲୋକିକରଣ ବ୍ୟବସ୍ଥା , ମନ୍ଦିର ପରିସରରେ ଛାଇ ନିମନ୍ତେ ଛାଉଣୀ ବ୍ୟବସ୍ଥା , ସାଂସ୍କୃତିକ ଦଳ ମାନଙ୍କ ଦ୍ବାରା ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳା ପ୍ରଦର୍ଶିତ ହେବ ।
ଚଳିତ ବର୍ଷ ର ଚୈତ୍ର ପର୍ବରେ ଭକ୍ତ ଓ ଦର୍ଶକଗଣ ମାଁ ଙ୍କର ଦର୍ଶନ ଶାନ୍ତି ଶୃଙ୍ଖଳାର ସହିତ କରିପାରିବେ ସେଥି ସକାଶେ ଜିଲ୍ଲାପାଳ ଶ୍ରୀ କୁଲେଙ୍ଗେ ଆଶା ପ୍ରକଟ କରିଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି , ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ , ଛତ୍ରପୁର ଉପଜିଲ୍ଲାପାଳ ନୀଳମାଧବ ଭୋଇ , ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା , ତହସିଲଦାର ନୀତିଶ୍ ତ୍ରିପାଠୀ , ଏସ୍.ଡି.ପି.ଓ ସୂର୍ଯ୍ୟମଣୀ ପ୍ରଧାନ , ଆଇଆଇସି ପ୍ରୀୟ ରଞ୍ଜନ ଛୋଟରାୟ , ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ , ମନ୍ଦିର ଟ୍ରଷ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.କେ ରେଡ୍ଡୀ, ତାରାତାରିଣୀ ଉନ୍ନୟନ ପରିଷଦର ସମ୍ପାଦକ ତଥା ଟ୍ରଷ୍ଟ ବୋର୍ଡର ସଭ୍ୟ ପ୍ରମୋଦ କୁମାର ପଣ୍ଡା , ସେବାୟତ ସନତ ରଣା , ତପନ କୁମାର ରଣା , ବାପୁଜୀ ରଣା ଏବଂ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ ।
