ଅନଲାଇନ ଅର୍ଡର କରି ଉପାସ ରହିଲେ ଗ୍ରାହକ। ଅର୍ଡର କରିଥିବା ଖାଦ୍ୟ ବିକିଦେଲେ ଡେଲିଭରି ବୟ। ଏଭଳି ଘଟଣା ଘଟିଛି ଗୁରୁଗ୍ରାମରେ। ଗୁରୁଗ୍ରାମର ରିଷଭ କୌଶିକଙ୍କ ସହ ଘଟିଥିବା ଦାବି କରିଛନ୍ତି। ରିଷଭଙ୍କ କହିବା ଅନୁସାରେ, ଗତ ରବିବାର ରାତି ପ୍ରାୟ ୧୦ଟା ୫୮ ମିନିଟ୍ରେ ସେ Zomato ଖାଦ୍ୟ ଅର୍ଡର କରିଥିଲେ।ଆପ୍ରେ ଡେଲିଭରି ପାର୍ଟନର ଘର ନିକଟରେ ପହଞ୍ଚିଥିବା ଦେଖାଉଥିଲା। ହେଲେ ଖାଦ୍ୟ ତାଙ୍କ ପାଖରେ ପହଞ୍ଚି ନଥିଲା। ବାରମ୍ବାର ଅପେକ୍ଷା ପରେ ରିଷଭ ଅର୍ଡର ଟ୍ରାକର୍ ଯାଞ୍ଚ କରିଥିଲେ। ସେଥିରେ ଡେଲିଭରି ପାର୍ଟନରଙ୍କ ଲୋକେସନ୍ ପ୍ରାୟ ୪୦ ମିନିଟ୍ ଧରି ଗୋଟିଏ ସ୍ଥାନରେ ଅଟକି ରହିଥିବା ସେ ଦେଖିଥିଲେ।

ଏତେ ସମୟ ଧରି ରାଇଡର୍ ଗୋଟିଏ ଜାଗାରେ କାହିଁକି ଅଟକିଛନ୍ତି, ତାହା ଜାଣିବା ପାଇଁ ରିଷଭ ନିଜେ ଘରୁ ବାହାରି ଟ୍ରାକର୍ରେ ଦେଖାଯାଉଥିବା ସ୍ଥାନରେ ପହଞ୍ଚିଥିଲେ। ସେଠାରେ ଦୁଇଜଣ ବ୍ୟକ୍ତି ରିଷଭ କରିଥିବା ଅର୍ଡରର ଖାଦ୍ୟ ଖାଉଥିବା ଦେଖିଥିଲେ। ସେମାନଙ୍କୁ ପଚାରିବା ପରେ ଡେଲିଭରି ରାଇଡର୍ ସେହି ଖାଦ୍ୟକୁ ମାତ୍ର ୧୦୦ ଟଙ୍କାରେ ସେମାନଙ୍କୁ ବିକ୍ରି କରିଦେଇଥିବା ଜାଣିବାକୁ ପାଇଥିବା ରିଷଭ କହିଛନ୍ତି। ରିଷଭ ଏହାର ଫଟୋ ସହ ଅର୍ଡର ଟ୍ରାକରର ସ୍କ୍ରିନ୍ସଟ୍ ସୋସିଆଲ୍ ମିଡିଆରେ ସେୟାର କରିବା ପରେ ଘଟଣାଟି ଭାଇରାଲ୍ ହୋଇଛି।

