ଭୁବନେଶ୍ବର-: ଆସନ୍ତା ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସରକାର ଏକବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ମାନିତ ଅତିଥି ଭାବେ ଯୋଗଦେବା ପାଇଁ ଆମନ୍ତ୍ରଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାରେ ବିଜେପି ସରକାରଙ୍କ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇପାରନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି, ବର୍ଷ ପୂର୍ତ୍ତିକୁ ଉତ୍ସବ ଦଳରେ ଉତ୍ତରଦାୟୀ କାର୍ଯ୍ୟକ୍ରମ ଭାବେ ରାଜ୍ୟ ସରକାର ପାଳନ କରିବେ । ଜୁନ୍ ୧୨ରୁ ୧୯ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ବର୍ଷକର ରିପୋର୍ଟ କାର୍ଡ ଧରି ରାଜ୍ୟର ୧ କୋଟି ଲୋକଙ୍କ ପରିବାର ନିକଟରେ ସରକାର ପହଞ୍ଚିବେ । ୨୦୨୪ରେ ଭାଜପା ଦେଇଥିବା ୨୧ଟି ନିର୍ବାଚନ ପ୍ରତିଶ୍ରୁତିରୁ ବର୍ଷକ ମଧ୍ୟରେ ୧୧ଟି ପୂରଣ ସରିଲାଣି । ଆଗାମୀ ବର୍ଷକ ମଧ୍ୟରେ ବଳକା ୧୦ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସେ କହିଛନ୍ତି ।
୨୦୨୪, ଜୁନ୍ ୧୨ରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲା । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ, ୮ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶପଥପାଠ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ବର ଆସିଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା, ରାଜନାଥ ସିଂହ, ନୀତିନ ଗଡ଼କରୀ ଓ ଜେ.ପି. ନଡ୍ଡାଙ୍କ ସମେତ ୧୦ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଓଡ଼ିଶାର ତିନି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।
