(ମହାଭାରତ): ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ମିଶନ ଶେଷ ହୋଇଛି । ଆଫଗାନିସ୍ତାନ ଛାଡ଼ିବା ପାଇଁ ଧାର୍ଯ୍ୟ ସମୟର ଗୋଟିଏ ଦିନ ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଏପରି ଘୋଷଣା କଲେ ଆମେରିକାର ଜେନେରାଲ କେନେଥ ମେଙ୍କେଜୀ । ଏଥି ସହ ଦୀର୍ଘ ୨ ଦଶନ୍ଧି ଧରି ଆଫଗାନିସ୍ତାନ ମାଟିରେ ଆତଙ୍କବାଦୀ ବିରୋଧରେ ଆମେରିକା ଚଳାଇଥିବା ଅଭିଯାନ ଶେଷ ହେଉଥିବା ସମ୍ପର୍କରେ ଔପଚାରିକ ଭାବେ ସମଗ୍ର ବିଶ୍ୱକୁ ସେ ଅବଗତ କରିଛନ୍ତି । ଆଫଗାନ ମାଟିରୁ ଆମେରିକାର ଶେଷ ସୈନ୍ୟ ପ୍ରତ୍ୟାହାର ପରେ ଶେଷ ହେଲା ଦୀର୍ଘ ୨ଦଶନ୍ଧିର ଯାତ୍ରା । ୧୯ବର୍ଷ ୧୦ ମାସ ଏବଂ ୨୫ ଦିନ ପରେ ଆଫଗାନିସ୍ତାନ ମାଟି ଛାଡ଼ିଲା ଆମେରିକା । ଆମେରେକୀୟ ସୈନ୍ୟ ଆଫଗାନିସ୍ତାନ ମାଟି ଛାଡ଼ିବା ନିମନ୍ତେ ୩୧ଅଗଷ୍ଟ ପର୍ଯ୍ୟନ୍ତ ଡେଡଲାଇନ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହାର ଦିନକ ପୂର୍ବରୁ ଅର୍ଥାତ ଗତକାଲି ବିଳମ୍ବିତ ରାତିରେ ଆମେରିକାର ଶେଷ ୩ ଯୁଦ୍ଧ ବିମାନ ଆଫଗାନିସ୍ତାନରୁ ଉଡ଼ାଣ ଭରିବା ସହ ଶେଷ କରିଛି ଉଦ୍ଧାର କାର୍ଯ୍ୟ । ଆମେରେକୀୟ ସୈନ୍ୟ ପ୍ରତ୍ୟାହାର ପରେ ଖୁସି ମନାଇଛନ୍ତି ତାଲିବାନୀ । ଏପରିକି ଫାଙ୍କାରେ ଗୁଳି ଚାଳନା କରି ସେମାନେ ଖୁସି ଜାହିର କରିଥିବା ଜଣା ପଡ଼ିଛି । ଆମେରିକା ସେନା ପ୍ରତ୍ୟାହାର ଘେଷଣା କରିବା ପରେ ୧୮ ଦିନରେ ଆଫଗିସ୍ତାନରୁ ୧ଲକ୍ଷ ୨୩ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଆମେରିକାର ୬ହଜାର ନାଗରିକଙ୍କ ସମେତ ଅନ୍ୟାନ୍ୟ ଦେଶର ଲୋକ ମଧ୍ୟ ଅଛନ୍ତି । କିଛି ଆଫଗାନ ନାଗରିକ ମଧ୍ୟ ତାଲିବାନ ଭୟରେ ଦେଶ ଛାଡ଼ିଛନ୍ତି । ଏହା ସତ୍ତେ୍ୱ ଯାହା ଆଶା ଥିଲା ସେହି ଅନୁସାରେ ସମସ୍ତଙ୍କୁ ଉଦ୍ଧାର କରିପାରି ନାହୁଁ ବେଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି ।